ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ସଦ୍ୟତମ ଆଇସିସି ଟେଷ୍ଟ ମ୍ୟାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟ ପଟେ ଭାରତୀୟ ଯୁବ ଓ୍ଵିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ଋଷଭ ପନ୍ତ(୪୮ତମ) ଓ ବୋଲର ଯଶପ୍ରୀତ ବୁମରା(୨୮ତମ) ନିଜ କ୍ୟାରିୟରରେ ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି।

କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପର୍ଥରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୨୩ ରନର ଦମଦାର ପାଳି ଖେଳିଥିଲେ। ଏଥିରେ ତାଙ୍କୁ ୧୪ ରେଟିଂ ପଏଣ୍ଟ ମିଳିଛି। ଏବେ ତାଙ୍କର ମୋଟ୍ ପଏଣ୍ଟ ୯୩୪ ରହିଛି। ଅନ୍ୟ ପଟେ ଦ୍ଵିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ କୋହଲିଙ୍କଠୁ ୧୯ ପଏଣ୍ଟ ପଛରେ ଅଛନ୍ତି।

ଋଷଭ ପନ୍ତ ୧୧ଟି ସ୍ଥାନ ଉପରକୁ ଉଠି ୪୮ତମ ସ୍ଥାନରେ ପହଞ୍ଚିଥିବା ବେଳେ ଭାରତୀୟ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷ ୧୫ରେ ପ୍ରବେଶ କରିଛନ୍ତି।  ଓ୍ଵିଲିୟମସନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୯୧ ରନର ଉପଯୋଗୀ ପାଳି ଖେଳିଥିଲେ। ଏଥିରେ ତାଙ୍କ ମୋଟ୍ ପଏଣ୍ଟ ୯୧୫ରେ ପହଞ୍ଚିଛି।

ବୋଲିଂ ମାନ୍ୟତାରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଏବେ ମଧ୍ୟ ଶୀର୍ଷରେ ଅଛନ୍ତି। ତାଙ୍କର ରେଟିଂ ପଏଣ୍ଟ ୮୮୨ ରହିଛି। ଭାରତୀୟଙ୍କ ମଧ୍ୟରେ  ରବୀନ୍ଦ୍ର ଜାଡେଜା ମାନ୍ୟତାର ପଞ୍ଚମରେ ଥିବା ବେଳେ ଅଶ୍ଵିନ ଷଷ୍ଠ ସ୍ଥାନରେ ଅଛନ୍ତି। ପର୍ଥ ଟେଷ୍ଟରେ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ନାଥନ ଲିୟନ କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତା ୭ତମ ସ୍ଥାନରେ ପହଞ୍ଚିଛନ୍ତି। ହେଜେଲଉଡ ଦୁଇଟି ସ୍ଥାନ ଉପରକୁ ଉଠି ୯ମ ଏବଂ ମିଚେଲ ଷ୍ଟାର୍କ ଗୋଟିଏ ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି।

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ କୌଣସି ଭାରତୀୟ ବୋଲର ମଧ୍ୟ ଶୀର୍ଷ-୧୦ରେ ନାହାନ୍ତି। ତାଙ୍କ ବ୍ୟତୀତ ମହମ୍ମଦ ସାମି ୨୧ତମ, ଇଶାନ୍ତ ଶର୍ମା ୨୬ତମ ଏବଂ ଉମେଶ ଯାଦବ ୩୦ତମ ସ୍ଥାନରେ ଅଛନ୍ତି। ବୁମରା ମାନ୍ୟତାର ୨୮ତମ ସ୍ଥାନରେ ଅଛନ୍ତି।

Comment