ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଦିନକ ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତିର ସଭାପତି ତଥା ସେଠାକାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ।

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଚନ୍ଦ୍ରଶେଖରଙ୍କ ବିଜୟ ଓ ସେଠି ପୁଣି ଟିଆରଏସ କ୍ଷମତାକୁ ଫେରିବା ଘଟଣାରେ ଚନ୍ଦ୍ରଶେଖରଙ୍କ ରାଜନୈତିକ ଦବଦବା ଢେର ମାତ୍ରାରେ ବଢ଼ିଛି। ସେ କେବଳ ବିଜେପି ଓ କଂଗ୍ରେସକୁ ହରାଇଥିଲେ ତାହା ନୁହେଁ ନିଜ ଦଳ ପାଇଁ ମଧ୍ୟ ଅଭୂତପୂର୍ବ ସଫଳତା ଆଣିଦେଇଥିଲେ।

ଏହି ସଫଳତା ହାସଲ କରିବା ପରେ ଚନ୍ଦ୍ରଶେଖର ରାଓ ଏକ ଅଣ-କଂଗ୍ରେସ ଓ ଅଣ-ବିଜେପି ମେଣ୍ଟ ଗଠନ ପାଇଁ ନିଜ ଉଦ୍ୟମକୁ ଜୋରଦାର କରିଛନ୍ତି। ଅବଶ୍ୟ ଆଗରୁ ବି ସେ ଏକଥା କହୁଥିଲେ। ସେହି ଉଦ୍ୟମର ଅଂଶ ବିଶେଷ ଭାବେ ସେ ନବୀନଙ୍କୁ ଭେଟିଥିଲେ। ୨୦୧୯ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଆଞ୍ଚଳିକ ଦଳମାନେ ପୁଣି ଥରେ ଏକାଠି ହେବା ସହ ନିଜ ନିଜ ରାଜନୈତିକ ପରକାଷ୍ଠାକୁ ବଜାୟ ରଖିବାକୁ ଚାହୁଁଛନ୍ତି ଚନ୍ଦ୍ରଶେଖର ରାଓଙ୍କ ଓଡ଼ିଶା ଗସ୍ତରୁ ଏହି ଇଙ୍ଗିତ ନିଶ୍ଚିତ ଭାବରେ ମିଳୁଛି।

ଟିଆରଏସ ମୁଖ୍ୟ କେବଳ ନବୀନଙ୍କୁ ଭେଟିଥିଲେ ତାହା ନୁହେଁ ଏଠି ରାତ୍ର ରହଣି ମଧ୍ୟ କରିଥିଲେ। ଏହି ଗସ୍ତ ପରେ ଏକମିଳିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖ୍ୟମନ୍ତ୍ରୀ ସେଭଳି କିଛି ବଡ଼ ଘୋଷଣା କରିନଥିଲେ। କିନ୍ତୁ ରାଜନୀତି ମହଲରେ ଯାହା ଚର୍ଚ୍ଚା ହେଉଛି ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଏହି ଦୁଇ ନେତାଙ୍କ ଭିତରେ ଆନୁଷ୍ଠାନିକ ଭାବେ କଥାବାର୍ତ୍ତା ହୋଇଥିଲା। ଚନ୍ଦ୍ରଶେଖର ରାଓ ଭୁବନେଶ୍ୱରରୁ ଯାଇ ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବା ଅବଶ୍ୟ ପ୍ରଥମ ଘଟଣା ନଥିଲା। ତା ଛଡ଼ା କେବଳ ସେ ନୁହନ୍ତି ଅନ୍ୟ ଆଞ୍ଚଳିକ ଦଳର ମୁଖ୍ୟମାନେ ବି ବିଭିନ୍ନ ସମୟରେ ନବୀନଙ୍କୁ ଭେଟିଛନ୍ତି। ଏହିଭଳି ଯେତେଥର ଭେଟ ହୋଇଛି ନୂଆ ରାଜନୈତିକ ସମୀକରଣ କଥା ନିଶ୍ଚିତ ଉଠିଛି। କିନ୍ତୁ ସବୁବେଳେ ନବୀନ ଏହି କଥାକୁ ଏଡ଼େଇ ଆସିଛନ୍ତି ଓ କଂଗ୍ରେସ ତଥା ବିଜେପିଠାରୁ ସମାନ ଦୂରତା ବଜାୟ ରଖିବ ବୋଲି ଦୃଢ଼ୋକ୍ତି କରିଛନ୍ତି।

ଅତୀତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଜନତା ଦଳ ୟୁର ବରିଷ୍ଠ ନେତା ଶରଦ ଯାଦବ ଓ ଏପରିକି ଅଖିଳେଶ ଯାଦବ ମଧ୍ୟ ଗତ ତିନି ବର୍ଷ ଧରି ନବୀନଙ୍କ ସହ ବିଭିନ୍ନ ସମୟରେ ବିଭିନ୍ନ ମଞ୍ଚରେ କଥାବାର୍ତ୍ତା କରି ଆସିଛନ୍ତି।

ଏଥର ଚନ୍ଦ୍ରଶେଖର ରାଓଙ୍କ ଗସ୍ତକୁ ଉଭୟ ବିଜେଡି ଓ ବିଜେପିର ମୁଖପାତ୍ରମାନେ ସେଭଳି ବିଶେଷ ଗୁରୁତ୍ୱ ଦେଇନାହାନ୍ତି। କଂଗ୍ରେସର ନେତା ନରସିଂହ ମିଶ୍ର ତ ତାତ୍ସଲ୍ୟ କରି କହିଛନ୍ତି ଯେ ଆଗକୁ ନିର୍ବାଚନ ଥିବାରୁ ଏମିତି ଭେଟଭାଟ ଚାଲିବ। ସେହିଭଳି ବିଜେପିର ସମୀର ମହାନ୍ତି କହିଛନ୍ତି ଯେ ସମାନ ଦୂରତା ନାଁରେ ଏହା ରାଜନୈତିକ ସୁବିଧାବାଦ ଛଡ଼ା ଆଉ କିଛି ନୁହେଁ। ତେବେ ଆଗାମୀ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ମେଣ୍ଟ ଗଠନ କେତେଦୂର ସମ୍ଭବ ହୋଇପାରିବ ତାହା ସମୟ ହିଁ କହିବ। ବିଜେପି ସରକାର ବିରୋଧରେ ବିରୋଧୀ ଦଳର ମେଣ୍ଟ ଗଠନ ତ ପର କଥା ସେମାନେ ଏକାଠି ରହିବା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ।

Comment