ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାର ଉପରେ ମନଭରି ବର୍ଷିଛନ୍ତି। ଓଡ଼ିଶାକୁ କେନ୍ଦ୍ର ସବୁ କ୍ଷେତ୍ରରେ ଉପେକ୍ଷା କରୁଥିବା ନବୀନ କହିବା ସହ ସିଧାସଳଖ ଟାର୍ଗେଟ କରିଛନ୍ତି।

ଏହି ଅବସରରେ ନବୀନ କେନ୍ଦ୍ରକୁ ୯ ପ୍ରଶ୍ନ ପଚାରି ରାଜ୍ୟ ରାଜନୀତିକୁ ସରଗରମ୍ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ରଖିଛନ୍ତି। ରେଳ ପ୍ରକଳ୍ପ ଏବଂ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର କହିଛନ୍ତି, “ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି ବୋଲି ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ନିର୍ମାଣ ବେଳେ ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାରେ ରାଜ୍ୟ ସରକାର ଇଞ୍ଚେ ବି ଜମି ଯୋଗାଇ ଦେଇ ନାହାନ୍ତି। ହରିଦାସପୁର-ପାରାଦୀପ ରେଳ ଲାଇନ ପ୍ରକଳ୍ପ ନିର୍ମାଣ ବେଳେ ସମାନ ଅବସ୍ଥା ଦେଖାଦେଇଥିଲା।”

୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ଉପରେ ଧର୍ମେନ୍ଦ୍ର ନିଜ ପ୍ରତିକ୍ରିୟା ରଖିବା ସହ ନବୀନଙ୍କୁ ସମାଲୋଚନା କରିଛନ୍ତି।

“ନବୀନ ବାବୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ କଥା କହୁଛନ୍ତି। ହେଲେ ତାଙ୍କ ମନ୍ତ୍ରିମଣ୍ଡଳରେ କେତେ ମହିଳା ମନ୍ତ୍ରୀ ଅଛନ୍ତି? କୁନ୍ଦୁଲି ପୀଡ଼ିତା ଏବଂ ଗୁମୁଡୁମାହ ମହିଳା ଆଜି ବି କାନ୍ଦୁଛନ୍ତି। ମହିଳା ସଂରକ୍ଷଣ କଥା କହି ନବୀନ ବାବୁ ଆଉ କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ”, କହିଛନ୍ତି ଧର୍ମେନ୍ଦ୍ର।

ବିଜେଡି ପ୍ରତିଷ୍ଠା ଦିବସ ପାଳନ ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ନବୀନ କେନ୍ଦ୍ରର ବିଜେପି ସରକାରକୁ ଘେରିଥିଲେ। ‘ଜବାବ ମାଗୁଛି ଓଡ଼ିଶା’ କହି କେନ୍ଦ୍ରକୁ ବାଣ ମାରିଥିଲେ।

Comment