ଓଡ଼ିଶାଲାଇଭ୍ ବ୍ୟୁରୋ

ମେଲବର୍ଣ୍ଣ ଟେଷ୍ଟରେ ରାହୁଲ ଦ୍ରାବିଡଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି।

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଆଉ ଏକ ନୂଆ ରେକର୍ଡ କରିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଦେଶୀ ମାଟିରେ ସବୁଠୁ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। କୋହଲି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ୧୬ ବର୍ଷର ରେକର୍ଡକୁ ଭାଙ୍ଗିଛନ୍ତି।

ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଦିନରେ ବିରାଟ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଅଧିନାୟକ ବିରାଟ କୋହଲି  ୮୨ ରନ କରି ତୃତୀୟ ୱିକେଟ ଭାବେ ମିସେଲ ଷ୍ଟାର୍କରଙ୍କ ଶିକାର ହୋଇଥିଲେ। କିନ୍ତୁ ଆଉଟ ହେବା ପୂର୍ବରୁ ବିଦେଶୀ ମାଟିରେ ଗୋଟିଏ ବର୍ଷରେ ସର୍ବାଧିକ ରନ କରିବାର ରାହୁଲ ଦ୍ରାବିଡଙ୍କ ୧୬  ବର୍ଷର ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି। ଚଳିତବର୍ଷ ବିରାଟ ବିଦେଶରେ ୧୧୩୮ ରନ ସଂଗ୍ରହ କରିସାରିଛନ୍ତି ଏବେବି ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଇନିଂସ ବାକି ଅଛି।

ଚଳିତବର୍ଷ ବିଦେଶରେ ଖେଳିଥିବା ୧୧ ଟି ଟେଷ୍ଟ ମ୍ୟାଚର ୨୧ ଇନିଂସରେ ବିରାଟ ୧୧୩୮ ରନ ସଂଗ୍ରହ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ପୂର୍ବତମ କ୍ରିକେଟର ରାହୁଲ ଦ୍ରାବିଡଙ୍କ ନାଁରେ ଥିଲା।  ୨୦୦୨ ମସିହାରେ ବିଦେଶରେ ରାହୁଲ ଦ୍ରାବିଡ ୧୧ ଟି ଟେଷ୍ଟ ମ୍ୟାଚର ୧୮ ଇନିଂସରେ ୧୧୩୭ ରନ ସଂଗ୍ରହ କରିଥିଲେ।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପାଇଁ ବିଦେଶରେ ସର୍ବାଧିକ ରନ କରିବାର ବିରାଟ କୋହଲି ଏବେ ଦ୍ରାବିଡଙ୍କଠାରୁ ୧ ରନରେ ଆଗରେ ଅଛନ୍ତି। ଏହି ରନ ବ୍ୟବଧାନ ବଢ଼ାଇବା ପାଇଁ ବିରାଟଙ୍କ ପାଖରେ ଆଉ ଗୋଟିଏ ଇନିଂସ ଅଛି। ଭାରତୀୟ କ୍ରିକେଟର ଦ ୱାଲ ନାମରେ ପରିଚିତ ଥିବା ରାହୁଲ ଦ୍ରାବିଡ ୨୦୦୨ ମସିହାରେ ୧୧୩୭ ରନ ସଂଗ୍ରହ କରି ୧୯ ବର୍ଷର ତଳର ମହିନ୍ଦ୍ର ଅମରନାଥଙ୍କ ରେକର୍ଡକୁ ଭାଙ୍ଗିଥିଲେ।

ମହିନ୍ଦର ଅମରନାଥ ୧୯୮୩ ମସିହାରେ ୯ଟି ଟେଷ୍ଟ ମ୍ୟାଚର ୧୪  ଇନିଂସରେ ୧୦୬୫ ରନ ସଂଗ୍ରହ କରିଥିଲେ। ଅମରନାଥ ଚାରିଟି ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି ସୁନିଲ ଗାଭାସ୍କର। ୧୯୭୧ ମସିହାରେ ଲିଟିଲ ମାଷ୍ଟର ବିଦେଶୀ ମାଟିରେ ୧୪ଟି ଇନିଂସରେ ୯୧୮ ରନ ସଂଗ୍ରହ କରିଥିଲେ।

Comment