ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ସମଲିଙ୍ଗୀ କପୁଲ୍‌ଙ୍କୁ କୋର୍ଟରେ ହାଜର କଲା ପଟ୍ଟାମୁଣ୍ଡାଇ ପୋଲିସ। ‘ଆମେ ନିଜ ଇଚ୍ଛାରେ ବାହା ହୋଇଛୁ, ପରସ୍ପରଠାରୁ ଅଲଗା ହୋଇପାରିବୁନି’ – କୋର୍ଟରେ ଏହା କହିବା ପରେ କପୁଲ୍‌ଙ୍କ ବାପା, ମା’ ନିରାଶ ହୋଇ ଘରକୁ ଫେରିଛନ୍ତି।

ଶ୍ରୀରାମପୁର ଗାଁର ଅନ୍ତର୍ଯ୍ୟାମୀ ନାୟକଙ୍କ ଝିଅ ମୋନାଲିସାଙ୍କୁ ଗତ ୧୧ ତାରିଖରେ ମହାକାଳପଡ଼ା ଥାନା ଚଣ୍ଡିଆପଲି ଗାଁର ପ୍ରଭାକର ପରିଡ଼ାଙ୍କ ଝିଅ ସାବିତ୍ରୀ ପରିଡ଼ା ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା।

ପୋଲିସ ଏହି ଦୁଇ ସମଲିଙ୍ଗୀ ଦମ୍ପତିଙ୍କୁ ଭୁବନେଶ୍ୱରର ଏକ ୱାର୍କିଂ ଓମେନ୍ସ ହଷ୍ଟେଲରୁ ଉଦ୍ଧାର କରିବା ପରେ ସେମାନଙ୍କୁ ସେମାନଙ୍କ ନିଷ୍ପତ୍ତିର ପୁନଃ ବିଚାର କରିବାକୁ ପରାମର୍ଶ ଦେଇଥିଲା। ପରିବାର ଲୋକେ ମଧ୍ୟ ଦୁଇ ଯୁବତୀଙ୍କୁ ବୁଝାସୁଝା କରିଥିଲେ।

ହେଲେ ପୁନଃବିଚାର ହୋଇ ପାରିବ ନାହିଁ ବୋଲି ବାପା, ମା’ଙ୍କୁ ରୋକଠୋକ ଶୁଣାଇ ଦେଇଥିଲେ ଦୁଇ ଯୁବତୀ।

ମଙ୍ଗଳବାର ଦିନ ପୋଲିସ ଦୁଇ ଯୁବତୀଙ୍କୁ ପଟ୍ଟାମୁଣ୍ଡାଇ ସିଭିଲ ଜଜ୍ ଜୁନିୟର ଡିଭିଜନଙ୍କ କୋର୍ଟରେ ହାଜର କରିଥିଲା। କୋର୍ଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହାଜର ହୋଇ ସମଲିଙ୍ଗୀ କପୁଲ୍ ସେମାନଙ୍କର ଜମାନବନ୍ଦି ଦେଇଥିଲେ।

“କାହାରି ଚାପରେ ନୁହେଁ, ନିଜ ଇଛାରେ ଆମେ ପରସ୍ପରକୁ ଭଲପାଇ ବିବାହ କରିଛୁ। ଯେହେତୁ ଆମେ ସାବାଳକ ତେଣୁ ନିଜ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେଇ ବିବାହ କରିଛୁ। ସାରା ଜୀବନ ଆମେ ଏକାଠି ରହିବାକୁ ଚାହୁଁ”, କହିଥିଲେ ସମଲିଙ୍ଗୀ କପୁଲ୍।

କିଛି ଦିନ ପାଇଁ ସର୍ଟ ଷ୍ଟେ ହୋମରେ ରହିବାକୁ ଅନୁମତି ଦେବାକୁ ସମଲିଙ୍ଗୀ କପୁଲ୍ କୋର୍ଟକୁ ଅନୁରୋଧ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏମାନଙ୍କୁ କେନ୍ଦ୍ରାପଡ଼ାଠାରେ ଥିବା ରେସ୍ୱା ସର୍ଟ୍ ଷ୍ଟେ ହୋମରେ ରଖିଛି ପୋଲିସ।

Comment