ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦଳ ବିରୋଧୀ ମନ୍ତବ୍ୟ ପାଇଁ ଯୋଗେଶ ସିଂଙ୍କୁ ନିଲମ୍ବନ କଲା କଂଗ୍ରେସ।

ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

ଏଆଇସିସିର ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି।

“ଦଳ ବିରୋଧୀ ମନ୍ତବ୍ୟ ପାଇଁ ଯୋଗେଶଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି। ତାଙ୍କୁ କାରଣ ଦର୍ଶାଅ ନୋଟିସ ମଗା ଯାଇଥିଲା। ୨୪ ଘଣ୍ଟା ଭିତରେ କୌଣସି ଉତ୍ତର ନମିଳିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପିସିସି ଶୃଙ୍ଖଳା କମିଟି ବୈଠକରେ ନିଷ୍ପତ୍ତି ହୋଇଛି”, କହିଛନ୍ତି ଅନନ୍ତ ସେଠୀ।

ଯୋଗେଶ ସିଂ ୨୦୧୪ରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛିଦିନ ହେଲା ସେ ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ବିଜେଡିକୁ ପ୍ରଶଂସା କରିଥିଲେ। ରହୁଲଙ୍କ ସଭାକୁ ଯିବେନି ବୋଲି ଯୋଗେଶ କହିଥିଲେ।

ଗତ ବୁଧବାର ଦିନ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ନିଲମ୍ବିତ ହେବା ପରେ ଯୋଗେଶ ସିଂ କହିଛନ୍ତି, “କଂଗ୍ରେସ ଛାଡ଼ିବି ବୋଲି ମୁଁ କେବେ କହିନି। ନବୀନ ପଟ୍ଟନାୟକ ଭାରତର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୁଁ ତାଙ୍କୁ ପ୍ରଶଂସା କରିଥିଲି। ମୋ’ ନିର୍ବାଚନମଣ୍ଡଳୀରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି।”

Comment