ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଛତ୍ରପୁରର ପୂର୍ବତନ କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଛତ୍ରପୁର ପୋଲିସ ବିଜେପିର ଦୁଇ ନେତାଙ୍କୁ ନୋଟିସ୍‌ ଜାରି କରିଛି। ଛତ୍ରପୁର ଥାନାରେ ହାଜର ହେବାକୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍‌ ଜାରି କରିଛି।

ଏହି ପରିପ୍ରେକ୍ଷୀରେ ବିଜେଡି ଟାର୍ଗେଟ କରିଛି ବିଜେପିକୁ। ବିଜେଡି ଦଳର ମୁଖପାତ୍ର ସମୀର ଦାଶ କହିଛନ୍ତି, “ଗତଥର ଅମିତ ଶାହ ଆସିଥିଲେ ସିବିଆଇ ନୋଟିସ୍‌ ଆସିଥିଲା। ଏଥର ମଧ୍ୟ ନୋଟିସ୍‌ ଆସିଲା। ସିବିଆଇ ପଞ୍ଜୁରୀ ଭିତରେ ଶାରୀ। ସିବିଆଇକୁ ଅସ୍ତ୍ର ଭଳି ବ୍ୟବହାର କରାଯାଉଛି।”

ଏହାସହ ବିଜେପି ନେତାଙ୍କୁ ନୋଟିସ ନେଇ ପ୍ରତିକ୍ରିୟା ରଖି ସମୀର ଦାଶ କହିଛନ୍ତି, “ଏହା ଏକ ପୁରୁଣା ମାମଲା। ପୋଲିସକୁ କିଛି ଆବଶ୍ୟକ ଥିବ ସେଥିପାଇଁ ନୋଟିସ ଜାରି କରିଥିବ।”

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, “ଏ ଯାଏଁ ମୁଁ କୌଣସି ନୋଟିସ୍‌ ପାଇନାହିଁ। ଏସବୁ ଏକ ରାଜନୈତିକ ଷଡ଼ଯନ୍ତ୍ର। ପ୍ରତିହିଂସା ପରାୟଣ ହୋଇ ନୋଟିସ୍‌ ଦିଆଯାଇଛି। ସିବିଆଇ କାହାକୁ ଜଣାଇ ତଦନ୍ତ କରେ ନାହିଁ। ତାଙ୍କ ନେତା ଆଗରୁ ଗିରଫ ହୋଇଛନ୍ତି।”

ଫେବ୍ରୁଆରି ୭ ତାରିଖରେ ଗୋଲକ ମହାପାତ୍ର ଓ ୯ ତାରିଖରେ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ ହୋଇଥିବା ସୂଚନା ମିଳିଛି । ୨୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ଲକ୍ଷ୍ମୀଦତ୍ତଙ୍କୁ ମିଳିତ ଆକ୍ରମଣ କରି ହତ୍ୟା କରାଯାଇଥିଲା।

Comment