ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ଭୋଟକୁ ନେଇ ବିଜେଡି-ବିଜେପି ଭିତରେ କସରତ।

ବିଜେପି ଏବଂ ବିଜେଡି ଫୋକସ୍‌ରେ ଏବେ ମୟୂରଭଞ୍ଜ। ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଭୋଟରଙ୍କୁ ମନାଇବା ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇ ଚାଲିଛନ୍ତି।

କ’ଣ ଦେଲେ ନବୀନ?

ଜାନୁଆରି ୫ ତାରିଖରେ ମୋଦି ବାରିପଦା ଗସ୍ତରେ ଆସି ୪ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିବା ବେଳେ ନବୀନ ଆଜି ୧୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହାସହ ନବୀନ ବାରିପଦାରେ ୪ଟି ବଡ଼ ଘୋଷଣା କରିଛନ୍ତି।

ଛଉ ନୃତ୍ୟ ଉପରେ ଅଧିକ ଗବେଷଣା ପାଇଁ କେନ୍ଦ୍ର ପ୍ରତିଷ୍ଠା,  ବନ୍ୟାରୁ ରକ୍ଷା ପାଇବା ପାଇଁ ବାରିପଦାରେ ରିଙ୍ଗ ରୋଡ୍‌ ନିର୍ମାଣ ହେବ, ମୟୂରଭଞ୍ଜ ଆୟୁର୍ବେଦିକ କଲେଜ ସରକାରୀ ମାନ୍ୟତା, ବାରିପଦାରେ କୋ-ଅପରେଟିଭ୍ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ନବୀନ ଘୋଷଣା କରିଛନ୍ତି।

ଏହାବାଦ୍ ନବୀନ ମିଶନ ଶକ୍ତି ସମାବେଶରେ ନବୀନ ମୟୂରଭଞ୍ଜ ଜିଲ୍ଲାର ୨୦ ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସିଡ୍ ମନି ସହାୟତା ପ୍ରଦାନ କରିଛନ୍ତି। ୨୬ଟି ବ୍ଲକ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ଡଜିଟାଲ ସଶକ୍ତିକରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୬୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ଚମ୍ପା ନଦୀ ଉପରେ ହାଇଲେଭଲ୍‌ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର, ଏମ୍‌ପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳୟରେ ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି।

କ’ଣ ଦେଇଥିଲେ ମୋଦି?

ଗତ ୫ ତାରିଖରେ ମୋଦି ବାରିପଦା ଆସି ୪୩.୨ କିଲୋମିଟରର ରିମୁଳି-କୋଇଡ଼ା, ୫୩.୨ କିଲୋମିଟରର କୋଇଡ଼ା-ରାଜାମୁଣ୍ଡା ଓ ୧୦୪.୨ କିଲୋମିଟରର ସଙ୍ଗରା- ବିଞ୍ଜବାହାଳ ପର୍ଯ୍ୟନ୍ତ ରାଜପଥକୁ ଚାରି ଲେନ୍‌ ପାଇଁ ଶିଳାନ୍ୟାସ କରିଥିଲେ। ଚାରିଟି ବାଇପାସ୍‌, ୩ଟି ଫ୍ଲାଏଓଭର୍‌, ୧୧ଟି ଭେଇକୁଲାର ଅଣ୍ଡରପାସ୍‌, ୧୨ଟି ପ୍ରମୁଖ ପୋଲ, ୫୦ଟି ଲଘୁ ପୋଲ ଏବଂ ୩୪ କିଲୋମିଟରର ସର୍ଭିସ୍‌ ରୋଡ୍‌ ନିର୍ମାଣ ପାଇଁ ଶିଳାନ୍ୟାସ କରିଥି ମୋଦି।

୧୦୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଥିବା ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍‌ ଲାଇନ୍‌ ସେକ୍ସନ୍‌, ୧୧.୩ କମିର ଚିଲିକିଦରା-ଶଗଡ଼ପଟା ଓ ୯ କିମି ବିଶିଷ୍ଟ ନରଣପୁର-ବସନ୍ତପୁର ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

ବାରିପଦାର ସେହି ଛଉପଡ଼ିଆ

ଗତ ୫ ତାରିଖରେ ମୋଦି ବାରିପଦାର ଛଉ ପଡ଼ିଆରେ ଅନୁଷ୍ଠିତ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସାଢ଼େ ଚାରି ବର୍ଷର ଯୋଜନା ସମ୍ପର୍କରେ କହିଥିଲେ। ଏହାସହ ପିପିଲି ପୀଡ଼ିତା ପ୍ରସଙ୍ଗ ଉଠାଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ। ଆଜି ନବୀନଙ୍କ ପାଇଁ ମଧ୍ୟ ସେହି ଛଉ ପଡ଼ିଆରେ ମିଶନ ଶକ୍ତି ସମାବେଶ ଆୟୋଜନ କରାଯାଇଥିଲା। ଏହି ଛଉ ପଡ଼ିଆରେ ହିଁ ନବୀନ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରି ମୋଦିଙ୍କୁ କାଉଣ୍ଟର କରିଥିଲେ।

ସବୁଠୁ ବଡ଼ କଥା ହେଉଛି ଯେଉଁଦିନ ମୋଦି ବାରିପଦା ଆସିଥିଲେ ସେହିଦିନ ନବୀନ ପୁରୀଠାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ନବୀନ ଛଉ ପଡ଼ିଆରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରାଜନୀତିରେ ତାତି ବଢ଼ିଛି।

କାହିଁକି ମୟୂରଭଞ୍ଜ?

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟରେ ରହିଥିଲା। ହେଲେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା ବିଜେପି। ୨୦୧୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ରହିଥିଲା ବିଜେଡି ହାତରେ। କିନ୍ତୁ ୨୦୧୭ରେ ଏଠି ବିଜେଡି ମ୍ୟାଜିକ କାମ ଦେଇ ନଥିଲା।

୨୦୧୪ ନିର୍ବାଚନରେ ବିଜେଡି ମୟୂରଭଞ୍ଜ ଜିଲ୍ଲାରେ କ୍ଲିନ୍ ସୁଇପ୍ କରିଥିବା ବେଳେ ୨୦୧୭ରେ କିନ୍ତୁ ବିଜେପି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇ ଉଭା ହୋଇଥିଲା। ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତରୁ ଛଡ଼ାଇ ନେଇଥିଲା ବିଜେପି। ସେହିଦିନରୁ ବିଜେପି-ବିଜେଡି ଭିତରେ ଛକାପଞ୍ଝା ଲାଗି ରହିଛି।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ରଣନୀତି ପ୍ରସ୍ତୁତ କରୁଛି। ବିଜେପି ମଧ୍ୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଆଧାର କରି ୨୦୧୯ରେ ଭଲ କରିବାକୁ ଉଦ୍ୟମ କରିଛି। ଏଣୁ ଉଭୟ ମୋଦି ଏବଂ ନବୀନ ମୟୂରଭଞ୍ଜ ଜିଲ୍ଲା ଉପରେ ଫୋକସ୍ କରିଛନ୍ତି।

Comment