ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ ନ୍ୟୁଜିଲାଣ୍ଡକୁ ଦନିକିଆ ସରିଜରେ ୪-୧ରେ ହରାଇ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଖୁସି କରିଥିବା ବେଳେ ସେପଟେ ନ୍ୟୁଜିଲାଣ୍ଡରେ ଘଟିଛି ଏକ ଦୁଃଖଦ ଘଟଣା। ନ୍ୟୁଜିଲାଣ୍ଡରେ ରହୁଥିବା ଭାରତୀୟ ମୂଳ ନିବାସୀ କ୍ରିକେଟର ହରିଶ ଗଙ୍ଗାଧରନଙ୍କ ଶନିବାର ମୃତ୍ୟୁ ଘଟିଛି। କ୍ରିକେଟ ଖେଳୁଥିବା ସମୟରେ ପଡ଼ିଆରେ ହରିଶ ଗଙ୍ଗାଧରନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସମୟରେ ଗଙ୍ଗାଧରନ ନିଜ ଗ୍ରୀନ ଆଇସଲ୍ୟାଣ୍ଡ କ୍ଲବ ପାଇଁ କ୍ରିକେଟ ଖେଳୁଥିଲେ।

ସୂଚନା ମୂତାବିକ, ଗଙ୍ଗାଧରନ ମ୍ୟାଚରେ ମାତ୍ର ୨ ଓଭର ବୋଲିଂ କରିଥିଲେ। ଏହା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହା ପରେ ପଡ଼ିଆରେ ଟଳି ପଡ଼ିଥିଲେ ୩୩ ବର୍ଷିୟ ହରିଶ ଗଙ୍ଗାଧରନ।

ଗ୍ରୀନ ଆଇସଲ୍ୟାଣ୍ଡ କ୍ରିକେଟ କ୍ଲବର ପ୍ରେସିଡେଣ୍ଟ ଜନ୍‌ ମୋଏଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ତାଙ୍କ କ୍ଲବର ସମସ୍ତ ଖେଳାଳି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଗଙ୍ଗାଧର ନିଜ ଟିମର ଅଲରାଉଣ୍ଡର ଖେଳାଳି ଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ ମାହିର ଥିଲେ ହରିଶ ଗଙ୍ଗାଧରନ।

ଗ୍ରୀନ ଆଇସଲ୍ୟାଣ୍ଡ କ୍ରିକେଟ କ୍ଲବ ୧୯୩୦ ମସିହାରେ ସ୍ଥାପିତ ହୋଇଥିଲା। ଗଙ୍ଗାଧରନ ଭାରତର କେରଳ ରାଜ୍ୟର ହୋଇଥିବା ବେଳେ ଗତ ୫ ବର୍ଷରୁ ସେ ନ୍ୟୁଜିଲାଣ୍ଡରେ ରହୁଥିଲେ।

Comment