ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ ରାଜନୈତିକ ଅସ୍ଥିରତା କାରଣରୁ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଏବେ ଚର୍ଚ୍ଚା ହେଉଛି।

ମନ୍ତ୍ରିମଣ୍ଡଳରେ ବିଦ୍ରୋହ ଏବଂ ୪୧ ଜଣ ମନ୍ତ୍ରୀଙ୍କ ଇସ୍ତଫ ପରେ ଗୁରୁବାର ଦିନ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଖାଲିପଡ଼ିଥିବା ଏହି ପଦବୀ ପୂରଣ କରିବା ପାଇଁ କିଏ ହେବ ଯୋଗ୍ୟ ପ୍ରାର୍ଥୀ ତାକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବୋରିସଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଋଷି ସୁନକଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ରେସ୍‌ରେ ନେନୀ ମରଡାଣ୍ଟ, ବେନ ଓ୍ଵାଲେସ, ସାଜିଦ ଓ୍ଵାଜିଦ, ଲିଜ ଟ୍ରସ ଏବଂ ଡୋମିନିକ ରାବ ସାମିଲ ଅଛନ୍ତି। କିନ୍ତୁ ଏହି ରେସରେ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ।

ଗତ ଜୁଲାଇ ୫ ତାରିଖରୁ ଅର୍ଥମନ୍ତ୍ରୀ ଥିବା ଋଷି ସୁନକ ନିଜ ପଦବୀରୁ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଥିବା ବୋରିସ ଜନସନଙ୍କ ଉପରେ ଇସ୍ତଫ ପାଇଁ ଚାପ ବଢ଼ିଥିଲା। ଋଷି ସୁନକଙ୍କ ପରେ ବୋରିସଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ ସାଜିଦ ଓ୍ଵାଜିଦ। ତାଙ୍କ ଇସ୍ତଫା ପରେ ବୋରିସ ଜନସନଙ୍କ ଚୌକି ଉପରେ ସଙ୍କଟ ବଢ଼ିଯାଇଥିଲା।

ପ୍ରଧାନମନ୍ତ୍ରୀ ପାଇଁ ଋଷି ସୁନକ ପ୍ରଥମ ପସନ୍ଦ

ବୋରିସ ଜନସନ ସରକାରରେ ଅର୍ଥମନ୍ତ୍ରୀ ରହିସାରିଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ରେସ୍‌ରେ ଋଷି ପ୍ରଥମରେ ରହିଥିବା ସୂଚନା ମିଳିଛି। ଋଷି ସୁନକ ହେଉଛନ୍ତି ଇନଫୋସିସର ସହ ସଂସ୍ଥାପକ ତଥା ବିଶିଷ୍ଟ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କର ଜ୍ଵାଇଁ।

୪୨ ବର୍ଷିୟ ଋଷି ସୁନକ ୨୦୨୦ ଫେବ୍ରୁଆରି ମାସରେ ବୋରିସ ଜନସନ ସରକାରରେ ଅର୍ଥମନ୍ତ୍ରୀ ନିଯୁକ୍ତ ହୋଇ ଚର୍ଚ୍ଚା ସାଉଣ୍ଟି ଥିଲେ। ବ୍ରିଟେନ ରାଜନୀତିରେ ଝଡ଼ ଉଠିବା ପରଠାରୁ ଋଷି ସୁନକ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲା।

ଋଷିଙ୍କ ପିତାମାତା ମୂଳ ଭାରତୀୟ

ବ୍ରିଟେନର ରାଷ୍ଟ୍ରପତି ରେସ୍‌ରେ ଆଗରରେ ରହିଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେଉଛନ୍ତି ମୂଳ ଭାରତୀୟ। ଋଷିଙ୍କ ପିତାମାତା ଭାରତର ହୋଇଥିବାବେଳେ ପିତା ୟଶବୀରଙ୍କ ଜନ୍ମ ଏବଂ ଲାଳନପାଳନ କେନିଆଠାରେ ହୋଇଥିଲା। ତାଙ୍କ ମା’ ଉଷାଙ୍କର ଜନ୍ମ ତାଞ୍ଜାନିଆଠାରେ ହୋଇଥିଲା। ଋଷି ସୁନକଙ୍କ ଜେଜେ ବାପା ଏବଂ ଜେଜେ ମା’ଙ୍କର ଜନ୍ମ ଭାରତର ପଞ୍ଜାବଠାରେ ହୋଇଥିଲା। କିନ୍ତୁ ୧୯୬୦ ମସିହାରେ ସେମାନେ ନିଜ ଛୁଆଁଙ୍କୁ ସାଙ୍ଗରେ ଧରି ବ୍ରିଟେନରେ ଅବସ୍ଥାପିତ ହୋଇଥିଲେ।

ଋଷି ସୁନକଙ୍କ ଶିକ୍ଷା ଏବଂ କ୍ୟାରିଅର

ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଜନ୍ମ ବ୍ରିଟେନର ସାଉଥେମ୍ପଟନରେ ହୋଇଥିଲା। ସେ ବ୍ରିଟେନର ଓ୍ଵିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଥିଲେ। ଏହା ପରେ ସେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠପଢ଼ିଥିଲେ। ସେଠାରେ ସେ ଫିଲୋସୋଫି ଏବଂ ଇକୋନୋମିକ୍ସ ଅଧ୍ୟୟନ କରିଥିଲେ। ଋଷି ଷ୍ଟେନଫୋର୍ଡ ୟୁନିଭର୍ସିଟିରେ ଫୁଲବ୍ରାଇଟ ସ୍କଲାର ଥିଲେ। ସେଠାରୁ ସେ ଏମବିଏ ଡିଗ୍ରୀ ହାସଲ କରିଥିଲେ।

ଋଷି ସୁନକ ଗ୍ରାଜୁଏସନ ପରେ ଗୋଲ୍ଡମ୍ୟାନ ସ୍ୟାକ୍ସଙ୍କ ସହ କାମ କରିଥିଲେ ଏବଂ ପରେ ହେଜ ଫଣ୍ଡ ଫାର୍ମ୍ସରେ ପାର୍ଟନର ହୋଇଥିଲେ।

ରାଜନୀତି କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ଋଷି ସୁନକ ଏକ ବିଲିୟନ ପାଉଣ୍ଡର ଗ୍ଲୋବାଲ ଇନଭେଷ୍ଟମେଣ୍ଟ କମ୍ପାନିର ସ୍ଥାପନା କରିଥିଲେ। ଏହି କମ୍ପାନି ବ୍ରିଟେନର କ୍ଷୁଦ୍ର ବ୍ୟବସାୟରେ ନିବେଶରେ ସହଯୋଗ କରୁଥିଲା।

ସାନଫୋର୍ଡ ୟୁନିଭର୍ସିଟିରେ ଏମବିଏ କରିବା ସମୟରେ ଇନଫୋସିସର ସହ ସଂସ୍ଥାପକ ଏବଂ ବିଶିଷ୍ଟ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ସହ ତାଙ୍କର ଦେଖା ହୋଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପ୍ରେମ ହୋଇଥିଲା। ପରେ ଋଷି ସୁନକ ଏବଂ ଅକ୍ଷତା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସକ୍ରିୟ ରାଜନୀତରେ ଋଷି ସୁନକ

୨୦୧୫ ମସିହାରେ ଋଷି ସୁନକ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ଓ୍ଵାର୍କସର ରିଚମଣ୍ଡରୁ ସାଂସଦ ଭାବେ ନିର୍ବାଚିତ ହୋଇ ସଂସଦକୁ ଯାଇଥିଲେ ଋଷି। ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଟେରିଜା ମେଙ୍କ କ୍ୟାବିନେଟରେ ଋଷି ଜୁନିଅର ମିନିଷ୍ଟର ଭାବେ କାମ କରିଥିଲେ। ସେବେଠାରୁ କଞ୍ଜରଭେଟିଭ୍ ପାର୍ଟିର ଦୃଷ୍ଟି ଆକର୍ଷଣ କରିଥିଲେ ଋଷି। ପାର୍ଟିର ଅନେକ ନେତା ତାଙ୍କ କାର୍ଯ୍ୟ ଦକ୍ଷତାକୁ ଉଚ୍ଚ ପ୍ରଶଂସା ମଧ୍ୟ କରୁଥିଲେ।

ବୋରିସଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବାବେଳେ ଋଷି ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ନୀତି ଅପରାଇଥିଲେ। କୋଭିଡ ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ଥିବା ବେଳେ ଏଥିରୁ ଦେଶକୁ ମୁକୁଳାଇବା ପାଇଁ ନୂଆ ରଣନୀତି ଆପଣାଇଥିଲେ ଋଷି ସୁନକ। କେବଳ ସେତିକି ନୁହେଁ କୋଭିଡ ସମୟରେ ଭୂଷୁଡ଼ି ପଡ଼ିଥିବା ଟୁରିଜିମ ସେକ୍ଟରକୁ ୧୦,୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ସେ।

ତେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ରେସ୍‌ରେ ଋଷି ସୁନକଙ୍କ ବ୍ୟତୀତ ନେନୀ ମରଡାଣ୍ଟ, ବେନ ଓ୍ଵାଲେସ, ସାଜିଦ ଓ୍ଵାଜିଦ, ଲିଜ ଟ୍ରସ ଏବଂ ଡୋମିନିକ ରାବ ସାମିଲ ଅଛନ୍ତି। ଏହି ରେସରେ ଋଷି ସୁନକ ସବୁଠାର ଆଗରେ ରହିଥିବା ଚର୍ଚ୍ଚା ହେଉଛି।

Tags: #Politics #BritainPolitics #BritainCMResigns #RaceForCM #IndianOrigin #RishiSunak

Comment