ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଧମା ଥାନା ଅନ୍ତର୍ଗତ ଗଜାଧାର ପାଲ୍ଲୀର ଜଣେ ଯୁବତୀଙ୍କୁ ସୁଦୂର ରାଜସ୍ଥାନରେ ୩ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା। ଏ ସଂପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଗତ ଡିସେମ୍ବର ୬ତାରିଖରୁ ଧମା ଥାନା ଓ ଟାଉନ୍‌ଥାନାରେ ଚକ୍କର କାଟିବା ପରେ ୨୦ଦିନ ବିଳମ୍ବରେ ମାମଲା ଦାୟର କରାଯାଇ ସଂପୃକ୍ତ ଯୁବତୀକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏ ସଂପର୍କରେ ଟାଉନ୍‌ଥାନା ଅଧିକାରୀ ଯୁବତୀଙ୍କ ବାପାମାଆକୁ ପୁଣିଥରେ ସଂପୃକ୍ତ ଯୁବତୀକୁ ରାଜସ୍ଥାନ ପଠାଇଦେବାକୁ ପ୍ରବର୍ତ୍ତାଇବା ଓ ଅଭିଯୁକ୍ତକୁ ଲୁଚାଇ ରଖିବା ଘଟଣାକୁ ଅଧିକ ରୋଚକ କରିଛି।

ସୁନ୍ଦରଗଡ଼ ଲାଠିକଟାର ଯୁବତୀ ରାଜସ୍ଥାନରୁ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରା ଉଦ୍ଧାର କରାଯିବା ପରେ ଏବେ ସମ୍ବଲପୁରରେ ପୁଣି ଏକ ଯୁବତୀ ଚାଲାଣ ଓ ବିକ୍ରି ଅଭିଯୋଗ ଆସିଛି। ଧମାଥାନା ଅନ୍ତର୍ଗତ ଗଜାଧାରପାଲ୍ଲୀର ଜଣେ ୧୯ବର୍ଷୀୟ ଯୁବତୀଙ୍କ ଖାଦ୍ୟରେ ନିଶାଦେଇ ଅଚେତ କରିବା ପରେ ଭୁବନେଶ୍ୱର ଚାଲାଣ କରାଯାଇଥିଲା। ସେଠାରୁ ସଂପୃକ୍ତ ଯୁବତୀଙ୍କୁ ରାଜସ୍ଥାନର ଏକ ଅଞ୍ଚଳକୁ ନେଇ ସେଠାରେ ତିନିଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ସଂପୃକ୍ତ ଯୁବତୀଙ୍କ ବାପାମାଆ ଅଭିଯୋଗ କରିଛନ୍ତି।

ଯୁବତୀ ଜଣକୁ ଡିସେମ୍ବର ୬ ତାରିଖରେ ବିକ୍ରି କରାଯାଇଥିଲେ ମଧ୍ୟ ଟାଉନ୍‌ଥାନା ପୋଲିସ୍‌,ମହିଳା ପୋଲିସ୍‌ ଓ ଧମାଥାନା ପୋଲିସ୍‌ ପ୍ରଥମେ ମାମଲା ରଖିବାକୁ କୁଣ୍ଠାବୋଧ କରୁଥିଲା। ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପ୍ରଥମେ ଧମାଥାନା ପୋଲିସ୍‌ ମାମଲା ରଖିଥିବା ବେଳେ ତାକୁ ସମ୍ବଲପୁର ଟାଉନ୍‌ଥାନାରୁ ହସ୍ତାନ୍ତର କରିଥିଲା। ହେଲେ ଟାଉନ୍‌ଥାନା ପୋଲିସ୍‌ ପ୍ରଥମେ ୧୦ହଜାର ଟଙ୍କା ଦେଲେ ଝିଅକୁ ଖୋଜାଖୋଜି କରାଯିବ ବୋଲି କହିଥିଲେ। କୌଣସି ପ୍ରକାରରେ ଜମିବନ୍ଧା ପକାଇ ପଇସା ଦେବାପରେ ତାଙ୍କ ଝିଅକୁ ରାଜସ୍ଥାନରରୁ ଉଦ୍ଧାର କରାଯାଇଥିଲା ବୋଲି କହିଛନ୍ତି ପୀଡିତାଙ୍କ ବାପା।

ଉଦ୍ଧାର କରାଯିବା ପରେ ଯୁବତୀର ମୁହଁ, ପେଟ, ପିଠି ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଓ ପୋଡ଼ା ଦାଗ ରହିଛି ବୋଲି ତାଙ୍କ ମାଆ କହିଛନ୍ତି। ପୋଲିସ୍‌ ଗତ ଦୁଇଦିନ ହେଲା ଯୁବତୀ ଜଣକୁ ବିଭିନ୍ନ ସ୍ଥାନରେ ରଖି ବୁଝାସୁଝା କରିବା ସହ ପୁଣି ରାଜସ୍ଥାନ ଯିବାକୁ ପ୍ରବର୍ତ୍ତାଉଥିବା କହିଛନ୍ତି ପୀଡ଼ିତାଙ୍କ ବାପା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପୀଡ଼ିତାଙ୍କୁ ଉଦ୍ଧାର କରିବା ପରେ ବି ଟାଉନ୍‌ଥାନା ପୋଲିସ୍‌ ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ୧୬୪ ଧାରାରେ କୋର୍ଟରେ ବୟାନ ରେକର୍ଡ କରିନି। ସେପଟେ ଯେଉଁ ମହିଳା ଓ ତାଙ୍କ ସ୍ୱାମୀ ଯୁବତୀଙ୍କୁ ପ୍ରଥମେ ଭୁବନେଶ୍ୱର ଓ ପରେ ରାଜସ୍ଥାନରେ ବିକ୍ରି କରିଥିଲେ ସେମାନଙ୍କୁ ମଧ୍ୟ ଗିରଫ ନକରି ଛାଡ଼ିଦେଇଛି। ଏପରିକି ରାଜସ୍ଥାନର ଯେଉଁ ଯୁବକ ପୀଡ଼ିତାଙ୍କୁ କିଣିଥିଲେ ତାଙ୍କୁ ପୋଲିସ୍‌ ସମ୍ବଲପୁର ଆଣି ବିଭିନ୍ନସ୍ଥାନରେ ଲୁଚାଇ ରଖିବା ଓ ଗଣମାଧ୍ୟମ ସମ୍ମୁଖକୁ ନଆଣିବା ମାମଲାକୁ ଭିନ୍ନ ମୋଡ଼ ଦେଇଛି।

ପୀଡ଼ିତାଙ୍କ ବର୍ତ୍ତମାନ ସୁଦ୍ଧା ଡାକ୍ତରୀମାଇନା କରାଯାଇନଥିବା ବେଳେ ତାକୁ ଟାଉନ୍‌ଥାନା ଆଇଆଇସି ପୋଲିସ୍‌ ଗାଡ଼ିରେ ବସାଇ ସମ୍ବଲପୁର ସହର ସାରା ଚକ୍କର କାଟିବା ଗଣମାଧ୍ୟମକୁ ଅଭିଯୁକ୍ତ କିମ୍ବା ପୀଡ଼ିତା ସଂପର୍କରେ କିଛି ନକହିବା ଏହି ମାମଲାକୁ ଅଧିକ ରହସ୍ୟମୟ କରିଦେଇଛି।

ଏନେଇ ସମ୍ବଲପୁର ଏସ୍‌ପି ସଞ୍ଜିବ୍‌ ଆରୋରା କହିଛନ୍ତି ଯେ ଏହି ସମସ୍ତ ମାମଲାର ତଦନ୍ତ ଚାଲିଛି। ସଂପୃକ୍ତ ଯୁବତୀଙ୍କ ୧୬୪ଧାରାରେ ବୟାନ ରେକର୍ଡ ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

ରାଜ୍ୟରେ ଦିନକୁ ଦିନ ଯୁବତୀ ଚାଲାଣ ଓ ବିକ୍ରି ମାମଲା ବଢ଼ିବାରେ ଲାଗିଥିବା ବେଳେ ରାଜ୍ୟ ମହିଳା କମିଶନ ମାନବାଧିକାର କମିଶନ ଓ ମହିଳା ସଙ୍ଗଠନଗୁଡ଼ିକ କ’ଣ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

Comment