ଓଡ଼ିଶାଲାଇଭ୍ ବ୍ୟୁରୋ
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ ସ୍ୱତନ୍ତ୍ର ପୋଲିସ ଡିଜି ସୁନିଲ କୁମାର ରାୟ, ଅତିରିକ୍ତ ଡିଜି ଆର୍ପି କୋଚେ, ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜି ଘନଶ୍ୟାମ ଉପାଧ୍ୟାୟ ଯୋଗଦେଇଥିଲେ।
ସେହିପରି ସିଆର୍ପିଏଫ୍ ଆଇଜି ଭିତୁଲ୍ କୁମାରଙ୍କ ସମେତ ୪ଜଣ ବରିଷ୍ଠ ସିଆର୍ପିଏଫ୍ ଅଧିକାରୀ ଯୋଗଦେଇଥିଲେ। ଉତ୍ତରାଞ୍ଚଳ ପୋଲିସ୍ ରେଞ୍ଜର ୫ଟି ଜିଲ୍ଲାର ଏସ୍ପି ଯଥା ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଏସପିମାନେ ଏହି ବୈଠକରେ ଯୋଗଦେଇ ଚଳିତ ସାଧାରଣ ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯିବ ସେନେଇ ଆଲୋଚନା କରିଥିଲେ।
ଦୀର୍ଘ ୪ଘଣ୍ଟାର ବୈଠକ ପରେ ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟମକୁ କହିଥିଲେ, “ପୋଲିସ ନିରପେକ୍ଷତାର ସହ କାର୍ଯ୍ୟ କରୁଛି। ନିର୍ବାଚନକୁ କିପରି ଶାନ୍ତି, ଅବାଧ ଓ ବିନା ଭୟରେ ପରିଚାଳନା କରାଯିବ ସେ ନେଇ ଆଲୋଚନା କରାଯିବା ସହ ପୋଲିସ୍ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେହିପରି ଭୋଟ୍ ଗ୍ରହଣ ଦିନ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷାବଳକୁ ନିୟୋଜିତ କରାଯିବ। ବରଗଡ଼, ବଲାଙ୍ଗିର ଓ ସମ୍ବଲପୁରର ଯେଉଁ କେତେକ ଅଞ୍ଚଳରେ ବର୍ତ୍ତମାନ ମାଓ ଉପଦ୍ରବ ଦେଖାଦେଇଛି ତାକୁ ମୁକାବିଲା କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି।”
ଯଦି କେଉଁଠି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆସେ ତେବେ ତାର ତଦନ୍ତ କରାଯାଇ ସଂପୃକ୍ତ ପୋଲିସ୍ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି।