ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ଯୁବତୀ ଓ ନାବାଳିକା ଚାଲାଣର ପର୍ଦ୍ଦାଫାସ କଲା ଜୟପୁର ଟାଉନ ପୋଲିସ। ପୋଲିସ ଚଢାଉ କରି  ୧୨  ଜଣ ଯୁବତୀ ଓ ୫ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି। ଚାଲାଣ କରୁଥିବା ଦଲାଲକୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଏନେଇ ଜୟପୁର ନୂଆ ଏସଡିପିଓ ବରୁଣ ଗୁନ୍ଥୁପାଲ୍ଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଉଦ୍ଧାର ହୋଇଥିବା ଯୁବତୀମାନେ ହେଲେ ନବରଙ୍ଗପୁର ଜିଲ୍ଲା ପାପାଡହାଣ୍ଡି, ରାଇଘର, ନୁଆକୋଟି ଅଞ୍ଚଳର ବାସିନ୍ଦା। ସେହିପରି ଗିରଫ ଅଭିଯୁକ୍ତ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ନୁଆକୋଟି ଗ୍ରାମର ଯୁବକ ସୁବାଷ ଚନ୍ଦ୍ର ହରିଜନ।

ଯୁବତୀଙ୍କୁ ରାଇଘରରୁ ବିଶାଖାପାଟଣା ଯାଉଥିବା ଓଏସଆରଟିସି ବସରେ ଚାଲାଣ ହେଉଥିବା ଖବର ପୋଲିସ ପାଇଥିଲା। ଜୟପୁର ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧିଙ୍କୁ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଉକ୍ତ ବସ ଉପରେ ଚଢାଉ କରାଯାଇଥିଲା।

ଚଢ଼ାଉ କରି ପୋଲିସ ୧୨  ଜଣ ଯୁବତୀ ଓ ୫ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି। କାମ ଦେବା ବାହନାରେ ଅନୈତିକ କାର୍ଯ୍ୟ କରିବାକୁ ଚାଲାଣ କରାଯାଉଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା। ଏହି ଘଟଣାରେ ଗିରଫ ଅଭିଯୁକ୍ତ ସୁବାଷ ନାଁରେ ପୋଲିସ ୨୭୯/୧୯ ମାମଲା ରୁଜୁ କରିଛି। ସିଡବ୍ଲୁସି ସହ ଆଲୋଚନା କରାଯାଇ ଯୁବତୀ ଓ ନାବାଳିକାଙ୍କୁ ନିଜ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ ସୁଚନା ଦେଇଛନ୍ତି।

Comment