ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ: ବିଜୁଳି ସେବାରୁ ବଞ୍ଚିତ ହେଉଛନ୍ତି କୋରାପୁଟ ଜିଲ୍ଲାର ମାଦୀ ଗ୍ରାମବାସୀ। ଗ୍ରାମରେ କେବଳ ନାମକୁ ମାତ୍ର ରହିଛି ବିଦ୍ୟୁତ୍ ଖୁଣ୍ଟ। ମାତ୍ର ୨୦୧୬ ମସିହାରୁ ଚାରି ବର୍ଷ ଧରି ଗାଁ’କୁ ଆସୁନାହିଁ ଆଲୁଅ। ଏ ବିଷୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। ତେବେ ଏହି ସମସ୍ୟାର ଅତିଶୀଘ୍ର ସମାଧାନ କରାଯିବ ବୋଲି ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ କହିଛନ୍ତି।ଦେଶ ସ୍ଵାଧୀନ ପରଠାରୁ ଅନ୍ଧକାରରେ ରହୁଥିଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ସୀମାନ୍ତବର୍ତ୍ତୀ ପଞ୍ଚାୟତ ବଦାପୁଟର ମାଦୀ ଗ୍ରାମବାସୀ। ୨୦୧୬ ମସିହାରେ ସରକାରଙ୍କ ପକ୍ଷରୁ ଗ୍ରାମକୁ ବିଜୁଳି ସଂଯୋଗ କରାଯାଇଥିଲା। ପ୍ରତି ୧୦୦ ମିଟର ବ୍ୟବଧାନରେ ବିଦ୍ୟୁତ୍ ଖୁଣ୍ଟ ବସାଯିବା ସହ ଗ୍ରାମରେ ଏକ ଟ୍ରାନ୍ସଫର୍ମର ମଧ୍ୟ ବସାଗଲା। ପ୍ରତି ଘରରେ ମିଟର ବସାଇ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା।BGUମାତ୍ର ଏସବୁ କିଛି ଥିଲା ସ୍ଵଳ୍ପ ଦିନ ପାଇଁ। ୨୦୧୬ ମସିହାର ଅଧା ବର୍ଷ ପରଠାରୁ ମାଦୀ ଗ୍ରାମ ପୁଣି ହୋଇପଡ଼ିଛି ଅନ୍ଧାର। ସମ୍ପୂର୍ଣ୍ଣ ଅନ୍ଧାରରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। କିଛି ଲୋକେ ନିଜ ବ୍ୟବସ୍ଥାରେ ବ୍ୟାଟେରି ବ୍ୟବସ୍ଥା କରୁଛନ୍ତି ତ ଆଉ କିଛି ପରିବାର ଡିବିର ସାହାରା ନେଉଛନ୍ତି। ଅନ୍ୟପଟେ ଲକଡାଉନ ଲାଗି ସ୍କୁଲ ଓ କଲେଜ ବନ୍ଦ ଥିବାରୁ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ଗ୍ରାମର ଛାତ୍ର ଛାତ୍ରୀ। ଏ ବାବଦରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବା ପରେ ନିରାଶ ହୋଇଛନ୍ତି ଗ୍ରାମବାସୀ। ତେବେ ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି କହି ସ୍ଥାନୀୟ ବିଡ଼ିଓ ଗ୍ରାମବାସୀଙ୍କୁ ଆଶ୍ଵସ୍ଥ କରିଛନ୍ତି।

Comment