ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଯୁବକଙ୍କୁ ଅନଲାଇନରେ ବିରିୟାନି ଅର୍ଡର କରିବା ମହଙ୍ଗା ପଡିଛି। ସେ ଅନଲାଇନ୍‌ରେ ବିରିୟାନି ଅର୍ଡର କରିବା ପରେ ତାଙ୍କ ଜମାଖାତାରୁ ୪୯,୯୯୭ ଟଙ୍କା ଉଡ଼ିଯାଇଥିବା ଅଭିଯୋଗ କରିଛନ୍ତି। ଏହା ସେତେବେଳେ ଘଟିଲା ସେ ଯେତେବେଳେ ଅନଲାଇନ୍‌ରୁ ଖାଦ୍ୟ ଅର୍ଡର କରି ତାହାକୁ ବାତିଲ୍ କରୁଥିଲେ। ତିନିଥରରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଉଡ଼ି ଯାଇଥିଲା।

ନିଶାନ୍ତ ରାଜ ନାମକ ଜଣେ ଯୁବକ ବିହାରରୁ ପଶ୍ଚିମବଙ୍ଗ ବୁଲିବାକୁ ଆସିଥିଲେ। ଏଠାରେ ସେ ନିଜର ପରିଚିତଙ୍କ ଘରେ ରହିଥିଲେ। ଗୋଟିଏ ଦିନ ସେ ଗୋଟିଏ ପ୍ଲେଟ ବିରିୟାନି ଅର୍ଡର ଜୋମାଟୋ ଜରିଆରେ କରିଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ସେ ଦେଖିବାକୁ ପାଇଥିଲେ ଖାଦ୍ୟ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି। ତେଣୁ ସେ ଅନଲାଇନରୁ ଅର୍ଡର କରିଥିବା ଖାଦ୍ୟକୁ ବାତିଲ କରିବା ପାଇଁ ଜୋମାଟୋର କଷ୍ଟମର୍ସ କେୟାର ନମ୍ବର ଗୁଗଲରେ ସର୍ଚ୍ଚ କରିଥିଲେ।

ନିଶାନ୍ତଙ୍କ କହିବା କଥା, ସେ ଅର୍ଡର କ୍ୟାନସଲ୍‌ କରିବା ପରେ ବିରିୟାନି ପାଇଁ ପୈଠ କରିଥିବା ଟଙ୍କା ତାଙ୍କ ଜମାଖାତାକୁ ଚାଲି ଆସିବ ବୋଲି ଉକ୍ତ କଷ୍ଟମର୍ସ କେୟାର ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ତାଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ ହେବ ବୋଲି କୁହାଯାଇଥିଲା। ନିଶାନ୍ତ ଯେମିତି ହିଁ ସେହି ଆପ୍ ଡାଉନଲୋଡ୍ କରିଥିଲେ, କିଛି ସମୟ ପରେ ତାଙ୍କ ମୋବାଇଲ୍ ଫୋନ୍‌କୁ ଏକ ମେସେଜ ଆସିଥିଲା।

ମେସେଜ ଆସିବା ପରେ ବ୍ୟାଙ୍କ୍‌ ଖାତାରୁ ୪୯,୯୯୭ ଟଙ୍କା ଉଡ଼ି ଯାଇଥିଲା। ନିଶାନ୍ତ ଠକେଇର ଶିକାର ହୋଇଥିବା ଜାଣି ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ନା ପୋଲିସ ନା ସାଇବର ଅପରାଧ ଶାଖା କେହି ବି ତାଙ୍କ ଅଭିଯୋଗକୁ ଗ୍ରହଣ କରି ନଥିଲେ। ଏହାକୁ ନେଇ ଯୁବକ ଜଣଙ୍କ ଚିନ୍ତାରେ ଅଛନ୍ତି । ଏପରିକି ଅପରାଧି ତାଙ୍କୁ ଫୋନରେ ଧମକ ଦେଇ କହିଛି ଥାନାରେ ଅଭିଯୋଗ କଲେ ବି ତୁ ଟଙ୍କା ଆଉ ଫେରି ପାଇବୁ ନାହିଁ।

Comment