ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନୀ ସେନା ଶୁକ୍ରବାର ମୁହଁ ଖୋଲିଛି। ଘଟଣାର ୮ ଦିନ ପରେ ପାକିସ୍ତାନୀ ସେନା ପ୍ରେସମିଟ କରି ଭାରତ ପାକିସ୍ତାନ ଉପରେ ଆରୋପ ଲଗାଉଥିବା କହିଛନ୍ତି ପାକିସ୍ତାନ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ୍‌ ଗଫର।

“ଆମେ ଯୁଦ୍ଧର ପ୍ରସ୍ତୁତି କରୁନାହୁଁ ବରଂ ଭାରତ ଯୁଦ୍ଧର ଧମକ ଦେଉଛି। ଯଦି ଭାରତ ଯୁଦ୍ଧର ଆରମ୍ଭ କରେ ତେବେ ପାକ୍‌ ଏହାର ଦୃଢ଼ ଜବାବ ଦେବ”, କହିଛନ୍ତି ଗଫର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଲୱାମାରେ ଆତଙ୍କବାଦ ଆକ୍ରମଣ କରାଇଥିବା ଅଭୁଯୁକ୍ତ କାଶ୍ମୀରର ଥିଲା। ନିର୍ବାଚନ ପୂର୍ବରୁ ଏମତି ଘଟଣା ଲାଗି ରହିଥାଏ।

ଭାରତ ବିନା ପ୍ରମାଣରେ ପାକ୍‌ ଉପରେ ଦୋଷ ଲଦୁଛି। ଯେତେବେଳେ ବି ଭାରତରେ କୌଣସି ଆକ୍ରମଣ ହୋଇଥାଏ ଭାରତ ପାକ୍‌ ଉପରେ ଦୋଷ ଲଦିଥାଏ। ଏଭଳି ଆକ୍ରମଣ କରି ପାକ୍‌କୁ କିଛି ଫାଇଦା ହେବ ନାହିଁ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ବୟାନ ଦେଇଥିଲେ। ଏହାକୁ ଭାରତରେ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା।

ପୁଲୱାମା ଆକ୍ରମଣକୁ ନେଇ ସାରା ବିଶ୍ୱରେ ଆଲୋଚନା ଜାରି ରହିଛି। ସେପଟେ ମୋଦି ଆତଙ୍କବାଦ ବିରୋଧରେ ପୂରା ବିଶ୍ୱ ଏକାଠି ହେବା ପାଇଁ ଆହ୍ୱାନ ଦେଉଛନ୍ତି।

Comment