ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ‘ଏକତା’ ପକ୍ଷରୁ ଭୁବନେଶ୍ଵରରେ ପର୍ଯ୍ୟଟନ ସମାବେଶ
  • ଯୋଗ ଦେଲେ ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ି ହୋଇ ରହିଥିବା ବିଭିନ୍ନ ସଂସ୍ଥା
  • ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରମୁଖ ପସନ୍ଦ ‘ଓଡ଼ିଶା’
  • ‘ମ୍ୟାନ୍/ଓମ୍ୟାନ୍ ଅନ୍ ସ୍ପଟ୍’, ‘ଟୁରିଜିମ୍ ଥିଏଟର୍’ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୈତିକତା ଉପରେ ଆଲୋଚନା
  • ପର୍ଯ୍ୟଟନ ବିକାଶରେ ଡିଜିଟାଲ୍ ମିଡିଆ ମାର୍କେଟିଂର ଗୁରୁତ୍ୱ

ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ପାଖରେ ରହିଛି ଅନେକ ଉପାଦାନ। ତେବେ ସରକାର ଏବଂ ପର୍ଯ୍ୟଟନ କ୍ଷେତ୍ର ସହିତ ସମ୍ପୃକ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ଅଧିକ ସୁଦୃଢ଼ ହେଲେ ଏ କ୍ଷେତ୍ରରେ ଦ୍ରୁତ ବିକାଶ ସମ୍ଭବପର ହୋଇପାରିବ ବୋଲି ‘ଏକତା’ ପକ୍ଷରୁ ଆୟୋଜିତ ପର୍ଯ୍ୟଟନ ସମାବେଶରେ ଅତିଥି ଏବଂ ବିଶେଷଜ୍ଞମାନେ କହିଛନ୍ତି।

ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ି ହୋଇଥିବା ବିଭିନ୍ନ ବର୍ଗର ଘରୋଇ ସଂସ୍ଥା, ଟୁରିଜିମ୍ ଅପରେଟର ଏବଂ ପେସାଦାର ବ୍ୟକ୍ତିବିଶେଷଙ୍କୁ ନେଇ ନୂଆ କରି ଗଢ଼ିଉଠିଥିବା ସଂଗଠନ ‘ଏକତା’ ପକ୍ଷରୁ ଶୁକ୍ରବାର ଦିନ ଭୁବନେଶ୍ୱରଠାରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇ କହିଥିଲେ, “ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏହା ସହିତ ଜଡ଼ିତ ସବୁ ବର୍ଗର ଅଂଶୀଦାରଙ୍କୁ ଆଗକୁ ଆସିବାକୁ ହେବ। ସରକାର ଏବଂ ଘରୋଇ ଅପରେଟରମାନେ ଏକାଠି ହୋଇ ନୂତନ ଚିନ୍ତାଧାରା ଲାଗୁ କରିବା ସହ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବିଭିନ୍ନ ଜରୁରୀ ପଦକ୍ଷେପ ନେବା ଦରକାର।”

‘ଏକତା’ର ସାଧାରଣ ସମ୍ପାଦକ ଚଣ୍ଡିପ୍ରସାଦ ପଟ୍ଟନାୟକ କହିଥିଲେ ଯେ ପରିବର୍ତ୍ତିତ ସମୟରେ ଆଜି ପର୍ଯ୍ୟଟନ ଏକ ବିରାଟ ସମ୍ଭାବନା ସୃଷ୍ଟି କରିଛି। ତେବେ ଏ କ୍ଷେତ୍ରରେ ମିଳିତ ସହଯୋଗ ରହିଲେ ଯାଇ ଓଡ଼ିଶା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ପସନ୍ଦ ହୋଇପାରିବ।

ଭୁବନେଶ୍ୱର (ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଯେଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ପାଇଛି ସେ ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ‘ମ୍ୟାନ୍/ଓମ୍ୟାନ୍ ଅନ୍ ସ୍ପଟ୍’ ଓ ‘ଟୁରିଜିମ୍ ଥିଏଟର୍’ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୈତିକତା – ଏଭଳି ଅଭିନବ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ସ୍ଥାନୀୟ ଆଗ୍ରହୀ ସଂସ୍ଥା କିମ୍ବା ଦକ୍ଷତାସମ୍ପନ୍ନ ଯୁବକ/ଯୁବତୀଙ୍କୁ ଖୋଜି ‘ମ୍ୟାନ୍/ଓମ୍ୟାନ୍ ଅନ୍ ସ୍ପଟ୍’ ଭାବେ ନିଯୁକ୍ତ କରାଯାଇ ପାରିଲେ ଏହା ପର୍ଯ୍ୟଟକମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ।

ସେହିପରି ଓଡ଼ିଶାର ଆକର୍ଷଣୀୟ କଳା, ସଂସ୍କୃତି ଏବଂ ହସ୍ତକଳା ଆଦି ପର୍ଯ୍ୟଟକମାନଙ୍କ ସାମ୍ନାରେ ଗୋଟିଏ ସ୍ଥାନରେ ଉପସ୍ଥାପନ କରିବା ପାଇଁ ଏକ ଶ୍ରେଷ୍ଠ କ୍ଷେତ୍ର ହେବ ଟୁରିଜିମ୍ ଥିଏଟର୍। ଏହା ମାଧ୍ୟମରେ ପ୍ରତିଦିନ ଓଡ଼ିଶାର ନୃତ୍ୟ ସଙ୍ଗୀତ ଏବଂ ଲୋକକଳା ଆଦି ପରିବେଷଣ କରାଯାଇପାରିଲେ ଓଡ଼ିଶା ଆସୁଥିବା ପର୍ଯ୍ୟଟକମାନେ ଏହା ଉପଭୋଗ କରିପାରିବେ। ଆଜିର ସମୟରେ ଟୁରିଜିମ୍ ଥିଏଟର୍ ଏକ ଅତ୍ୟନ୍ତ ଆବଶ୍ୟକ ବିଷୟ ବୋଲି ଆଲୋଚନାରେ ଅଂଶଗ୍ରହଣ କରିଥିବା ଟୁର୍ ଅପରେଟର୍ ଏବଂ ବିଶେଷଜ୍ଞମାନେ ମତ ଦେଇଥିଲେ।

ପ୍ରଥମ ଆଲୋଚନାର ସଂଚାଳନ କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ। ଏଥିରେ ଆଇଆଇଟିଟିଏମ୍‌ର ନୋଡାଲ୍ ଅଫିସର ପ୍ରଫେସର ଶରତ କୁମାର ଲେଙ୍କା, ଓଡ଼ିଶା ଟୁରିଜିମ୍‌ର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀ, ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ବରିଷ୍ଠ ଟ୍ରାଭେଲ୍ ଅପରେଟର୍ ବେଞ୍ଜାମିନ୍ ସାଇମନ୍ ଅଂଶଗ୍ରହଣ କରି ନିଜର ମତବ୍ୟକ୍ତ କରିଥିଲେ।

ସେହିପରି ଦ୍ୱିତୀୟ ଆଲୋଚନାର ସଂଚାଳନ କରିଥିଲେ ‘ଏକତା’ର ସଭାପତି ସଞ୍ଜୟ କୁମାର ମହାନ୍ତି। ଏଥିରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ସୁପରଇନଟେଣ୍ଡିଂ ଆର୍କିଓଲୋଜିଷ୍ଟ୍ ଡକ୍ଟର ଜୀବନ ପଟ୍ଟନାୟକ, ସମ୍ପନ୍ନ ମିଡିଆର ସମ୍ପାଦକ ରବି ଶର୍ମା, ଆୟୋଟୋ ଓଡ଼ିଶା ଶାଖାର ସଭାପତି ଗଗନ ଷଡ଼ଙ୍ଗୀ ଏବଂ ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ଦାଶ ଭାଗ ନେଇଥିଲେ।

‘ଏକତା’ର ଉପସଭାପତି ଦେବାଶିଷ ମିଶ୍ର କହିଥିଲେ ଯେ ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନୈତିକତାର ସହ କାରବାର କରିବା ଦରକାର। ସେହିପରି ଆଚରଣରେ ସ୍ୱଚ୍ଛତା ରକ୍ଷା କରିବା ଉପରେ ସେ ଜୋର୍ ଦେଇଥିଲେ। ପର୍ଯ୍ୟଟନ କାରବାରର ସଫଳତା ପଛରେ ବିଶ୍ୱସନୀୟତା ଏବଂ ନିର୍ଭରଶୀଳତା ଦୁଇଟି ବଡ଼ ଦିଗ ବୋଲି କହିବା ବେଳେ ସେ କେତେକ ଉଦାହରଣ ଉପସ୍ଥାପନ କରିଥିଲେ।

ଏହି ଅବସରରେ ବି-ଟୁ-ବି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ବିଦେଶରୁ ଆସିଥିବା ବିଭିନ୍ନ ଟୁର୍ ଅପରେଟର ଏବଂ ପର୍ଯ୍ୟଟନ ସହ ସମ୍ପୃକ୍ତ ସଂସ୍ଥା ନିଜ ନିଜର ସେବା ସମ୍ପର୍କରେ ଉପସ୍ଥାପନ କରିଥିଲେ। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଡିଜିଟାଲ୍ ମିଡିଆ ମାର୍କେଟିଂର ଗୁରୁତ୍ୱ ଉପରେ ମଧ୍ୟ ଏହି ସମାବେଶରେ ଆଲୋଚନା ହୋଇଥିଲା।

‘ଏକତା’ର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଅଶ୍ୱିନୀ ମହାପାତ୍ର ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comment