ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ବିଜେପିରେ ମିଶିଛନ୍ତି ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା। ଗୁଜୁରାଟର ଜାମ୍‌ନଗରଠାରେ କୃଷିମନ୍ତ୍ରୀ ଆର୍ସି ଫାଲଦୁ, ସାଂସଦ ପୁନମ ମଦାମଙ୍କ ଉପସ୍ଥିତିରେ ରିଭାବା ପଦ୍ମ ଧରିଛନ୍ତି।

ଏହି ଅବସରରେ ରିଭାବା କହିଛନ୍ତି, “ ମୁଁ ମୋ ସ୍ୱାମୀ ରବିନ୍ଦ୍ର ଜାଡେଜାଙ୍କ ସମର୍ଥନ ପାଇ ରାଜନୀତିରେ ପାଦ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା ପାଇ ମୁଁ ଆଜି ବିଜେପିରେ ଯୋଗଦେଇଛି।” ରିଭାବଙ୍କ ଯୋଗଦାନ ପାର୍ଟି ପାଇ ଯୁବ ଭୋଟରଙ୍କୁ ଯୋଡ଼ିବାର କାମ କରିବ ବୋଲି ବିଜେପି ନେତାମାନେ କହୁଛନ୍ତି।

ରିଭାବା ଆହୁରି ମଧ୍ୟ କହିଛନ୍ତି, “ବିଜେପି ଏକ ଲୋକତାନ୍ତ୍ରିକ ପାର୍ଟି। ଆଗାମୀ ଲୋକସଭା ନିର୍ବାଚନରେ ମୋର ଭୂମିକା କ’ଣ ରହିବ ସେନେଇ ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନେବ।”

୨୦୧୬ ମସିହାରେ ରବିନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ ରିଭାବା। ବର୍ତ୍ତମାନ ଉଭୟଙ୍କ ଏକ କନ୍ୟାସନ୍ତାନ ମଧ୍ୟ ରହିଛି।

Comment