ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦୀର୍ଘ ଏକ ବର୍ଷ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟାଇ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶେଷରେ ବିଜେପିରେ ହିଁ ଯୋଗ ଦେଇଛନ୍ତି। ତାଙ୍କର ଏହି ଯୋଗଦାନ ଦଳ ପାଇଁ ନିଶ୍ଚିତଭାବେ ଲାଭଦାୟକ ହେବ ବୋଲି ବିଜେପି ନେତାମାନେ ଆକଳନ କରୁଛନ୍ତି। ଲୋକସଭା ଓ ବିଧାନସଭା ନିର୍ବାଚନରେ ବୈଜୟନ୍ତଙ୍କୁ ଧରି ବିଜେପି ଢେର କିଛି ଫାଇଦା ଉଠାଇବା ପାଇଁ ଚାହୁଁଛି।

ବିଜେପିର ନେତାମାନଙ୍କ କହିବା ଅନୁଯାୟୀ, ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପି ହାରିବା ପରେ ବୈଜୟନ୍ତ ଦୋଦୋପାଞ୍ଚ ଭିତରେ ଥିଲେ।କିନ୍ତୁ ନିକଟ ଅତୀତରେ ଘଟିଯାଇଥିବା କିଛି ଘଟଣା ପୁଣି ତାଙ୍କୁ ବିଜେପି ଆଡ଼କୁ ଢଳିବା ପାଇଁ ପ୍ରରୋଚିତ କରିଥିଲା। ବିଶେଷ କରି ବିଜେଡି ଓ ବିଜେପି ସମ୍ପର୍କକୁ ନେଇ ସେ ଆଗରୁ ସନ୍ଦିହାନ ଥିଲେ। ଲୋକସଭା ନିର୍ବାଚନ ପରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ ନ କଲେ ବିଜେଡିର ସମର୍ଥନ ଚାହିଁପାରେ ଓ ସେହି କାରଣରୁ ବିଜେଡି ବିଜେପି ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ନାହିଁ ଏହି ଆଶଙ୍କା ବୈଜୟନ୍ତଙ୍କର ଥିଲା।

ସେଥିପାଇଁ ସେ ବିଜେପିଠାରୁ କିଞ୍ଚିତ ଦୂରତା ରଖି କାରବାର କରୁଥିଲେ। ଦେଶର ପରିବର୍ତ୍ତିତ ପରିସ୍ଥିତିରେ ଆଗାମୀ ନିର୍ବାଚନରେ ବିଜେପି ଭଲ କରିବ ଏହି ଗଣନା କରିବା ପରେ ହୁଏତ ସେ ତାଙ୍କ ମନ ପରିବର୍ତ୍ତନ କରିଥାଇ ପାରନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ଏମିତି ତ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ରହିବ ବୋଲି ଦଳର ନେତା ଦୃଢ଼ତାର ସହ କହୁଛନ୍ତି। ଆଗାମୀ କିଛି ସପ୍ତାହରେ ଅନ୍ୟ ଦଳର, ବିଶେଷ କରି ଶାସକ ବିଜେଡିର, କିଛି ତୁଙ୍ଗ ନେତା ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଥିବା ବିଷୟ ଆଲୋଚନା ହେଉଛି।

Comment