ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଏପ୍ରିଲ ୧୧ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଦ୍ଧିବଦ୍ଧ ଭାବେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତ ଦୁଇ ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା। ଏଣୁ ଯେକୌଣସି ସମୟରେ ଏହି ୪ ଆସନ ପାଇଁ ସେ ପ୍ରାର୍ଥୀ ଘୋଷଣା କରିପାରନ୍ତି। ଉକ୍ତ ଚାରୋଟି ଆସନ ହେଉଛି କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର। ଏଥି ସହିତ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯିବ।

ବିଜେଡି ମହଲରୁ ଖବର ଆସୁଛି ଯେ ବର୍ତ୍ତମାନର ଚାରି ଜଣ ସାଂସଦଙ୍କ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିବ। ଅନେକ ବିଧାୟକଙ୍କୁ ବି ଟିକେଟ ମିଳିବାର ସମ୍ଭାବନା ନାହିଁ। ଆଲୋଚନା ହେଉଛି ଯେ ୪ ଲୋକସଭା ଆସନ ପାଇଁ କିଏ ପ୍ରାର୍ଥୀ ହେବେ ତାହା ଅପାତତଃ ସ୍ଥିର ହୋଇସାରିଛି। ଖାଲି ନାମ ଘୋଷଣା ବାକି ଅଛି।

ମାଳବିକା ଦେବୀ

ଚର୍ଚ୍ଚା ହେଉଛି କଳାହାଣ୍ଡି ଆସନ ପାଇଁ ବର୍ତ୍ତମାନ ସାଂସଦ ଥିବା ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେବୀଙ୍କୁ ପ୍ରାର୍ଥୀ କରାଯିବ। ପୁଷ୍ପେନ୍ଦ୍ର ସିଂହଦେଓ ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ନାମ ବି ତାଲିକାରେ ରହିଛି। ସେହିଭଳି ନବରଙ୍ଗପୁର ଆସନ ପାଇଁ ବର୍ତ୍ତମାନ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଆଦିବାସୀ ବିଭାଗ  ମନ୍ତ୍ରୀ ଥିବା ରମେଶ ମାଝି ପ୍ରାର୍ଥୀ ହେବେ। ଏବର ସାଂସଦ ବଳଭଦ୍ର ମାଝିଙ୍କୁ ବିଧାନସଭା ଆସନ ଲଢ଼ିବା ପାଇଁ କୁହାଯାଇଥାନ୍ତା। ବୋଧହୁଏ ଏହି ସୂଚନା ପାଇବା ପରେ ସେ ଦଳରୁ ଇସ୍ତଫା ଦେଇଥିଲେ।

କୌଶଲ୍ୟାଙ୍କ ପାଳି

କୋରାପୁଟ ଲୋକସଭା ଆସନ ପାଇଁ ବର୍ତ୍ତମାନ ସାଂସଦ ଥିବା ଝିନ୍ନ ହିକ୍‌କାଙ୍କ ପତ୍ନୀ କୌଶଲ୍ୟା ହିକ୍‌କାଙ୍କୁ ପ୍ରାର୍ଥୀ ଭାବେ ଠିଆ କରାଯିବ। ବ୍ରହ୍ମପୁର ଆସନ ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କିମ୍ବା ପାରଳା ରାଣୀ କଲ୍ୟାଣୀ ଦେବୀ ପ୍ରାର୍ଥୀ ହେବେ। ବ୍ରହ୍ମପୁରରୁ ସିଦ୍ଧାନ୍ତ ମହାପାତ୍ର ବିଦାୟ ହେବା ନିଶ୍ଚିତ।

Comment