ଓଡ଼ିଶାଲାଇଭ୍‌ ଅନୁଚିନ୍ତା

(ଭାରତୀୟ ସଭ୍ୟତା ଓ ସଂସ୍କୃତି ଭିତରେ ରହିଛି ଏମିତି ଅନେକ ଗୁଢ଼ ଜ୍ଞାନ ଯାହାକି ଦୈନନ୍ଦିନ ଜୀବନ ପରିଚାଳନା କ୍ଷେତ୍ରରେ ଆମକୁ ମାର୍ଗଦର୍ଶନ ଦେଇଥାଏ। ତା’ ମଧ୍ୟରେ ଚାଣକ୍ୟ ନୀତି ଏକ ଲୋକପ୍ରିୟ ବିଷୟ। ପ୍ରାୟ ଅଢେଇ ହଜାର ବର୍ଷ ତଳେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୀତିଶିକ୍ଷା ଆଜି ବି ଆମ ଜୀବନ ପାଇଁ ଆଦର୍ଶ ପରି ମନେହୁଏ। ଚାଣକ୍ୟଙ୍କ ସେହି ନୀତିଗୁଚ୍ଛରୁ ଗୋଟିଏ ଗୋଟିଏ ଓଡ଼ିଶାଲାଇଭ୍‍ର ପାଠକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଉଦ୍ୟମ।)

।। ମଣିଃ ଲୁଠତି ପାଦାଗ୍ରେ କାଚଃ ଶିରସି ଧାର୍ଯ୍ୟତେ କ୍ରୟବିକ୍ରୟବେଳାୟାଂ କାଚଃ କାଚୋ ମଣିର୍ମଣିଃ ।।

ଆଲୋଚନା: କାଚ ଓ ମଣି ଭିତରେ ପାର୍ଥକ୍ୟ ଜାଣିନଥିବା ବ୍ୟକ୍ତି ଅନେକ ସମୟରେ ମଣିକୁ ପାଦରେ ଠେଲିଦେଇ ହୁଏତ ମାମୁଲି କାଚକୁ ମଥାରେ ପିନ୍ଧିଥା’ନ୍ତି। ଅର୍ଥାତ୍‍ ମଣିର ମୂଲ୍ୟ ଜାଣିନଥିବା ବ୍ୟକ୍ତି ପାଇଁ ଅନେକ ସମୟରେ ଅମୂଲ୍ୟ ମଣି କାଚଠାରୁ ହୀନ ହୋ‍ଇପାରେ। ତେଣୁ ଜ୍ଞାନୀପଣ ବା ଅଜ୍ଞାନତା ଆଧାରରେ କାଚ ଓ ମଣି ଭିତରେ ପାର୍ଥକ୍ୟ ହିଁ ବାରିହୁଏ।

ଜଣେ ସାଧାରଣ ଲୋକ ବା ଅଜ୍ଞାନ ବା ଅବିବେକୀ କିମ୍ବା ମୂର୍ଖ ମଣିର ଅସଲ ମୂଲ୍ୟ ବୁଝେ ନାହିଁ। କେଉଁଟି କାଚ ଏବଂ କେଉଁଟି ମଣି ଜାଣିବାକୁ ଉଦ୍ୟମ ହୁଏତ କରେ ନାହିଁ। ତେଣୁ ସେ ମଣିକୁ ହତାଦରକରି କାଚ ଭଳି ସାଧାରଣ ବସ୍ତୁକୁ ଅପୂର୍ବ ମନେକରି ମୁଣ୍ଡରେ ଧରି ବୁଲେ। ତେବେ ଅସଲ କଥା ହେଉଛି ଯେତେବେଳେ କ୍ରୟ-ବିକ୍ରୟ ସମୟ ଆସେ ଏବଂ ଯେତେବେଳେ ଅସଲ କଷଟିରେ ପରୀକ୍ଷା କରାଯାଏ, କାଚ କାଚ ଓ ମଣି ମଣି ଅଲଗା ହୋ‍ଇଯା’ନ୍ତି।

ଆମେ ଆମ ସମାଜରେ, କାର୍ଯ୍ୟ କ୍ଷେତ୍ରରେ, ସାହି ପଡ଼ିଶାରେ ବା ଏପରିକି ନିଜ ଘର ମଧ୍ୟରେ ଅନେକ ସମୟରେ ଏହି ମଣି ଓ କାଚର ବ୍ୟବହାରଜନିତ ଫରକ ଜାଣୁ। ଅସଲରେ ଚାଣକ୍ୟଙ୍କ ଏହି ଉକ୍ତି କେବଳ ବସ୍ତୁ ହିସାବରେ କାଚ ଓ ମଣି ଭିତରେ ସୀମିତ ନୁହେଁ। ଏହାର ଗୁଢ଼ ମର୍ମ ହେଉଛି ଅନେକ ସମୟରେ ଆମେ ବୁଦ୍ଧିମାନ, ଦକ୍ଷ, ଅଭିଜ୍ଞ ଏବଂ ଦେବତାସମ ମଣିଷମାନଙ୍କୁ ମଣି ବଦଳରେ କାଚ ଭଳି ବ୍ୟବହାର କରୁ। ଆଉ ବଡ଼ କଥା ହେଉଛି ଏହି ମଣିଷମାନେ ନିଜର ମହାନତାରେ ତଥା ଜ୍ଞାନ ଓ ଅନୁଭୂତିରେ ଏତେ ପରିପକ୍ୱ ଯେ ସେମାନେ ହୁଏତ ସମାଜର ଏଭଳି ଅବିବେକୀ ବ୍ୟବହାରରେ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ନୀରବ ରହିବାକୁ ପସନ୍ଦ କରିଥା’ନ୍ତି। ତେବେ ସୁନାର ମୂଲ କଷଟି ପଥରରେ ଜଣେ ସୁନାରୀ ବୁଝିଲା ପରି ଜଣେ ଭଲ ମଣିଷର ପରିଚୟ ଠିକଣା ସମୟରେ ମିଳିଥାଏ।

ଓଡ଼ିଶାର ସଂସ୍କୃତି ଏବଂ ସାହିତ୍ୟ ଭିତରେ ଏହି ଚମତ୍କାର ଭାବନା ବାରମ୍ବାର ବ୍ୟକ୍ତ ହୋ‍ଇ ଆସିଛି। କବି ଯଦୁମଣି, ବ୍ରଜନାଥ ବଡ଼ଜେନାଙ୍କ ପରି ବିଦ୍ୱାନମାନେ ସେମାନଙ୍କ ଲେଖା ମାଧ୍ୟମରେ ଏହି କାଚ ଓ କାଞ୍ଚନର ତାରତମ୍ୟ କଥା ବର୍ଣ୍ଣନା କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ କେବଳ ରୂପରେ, ବାକ୍‍ ଚାତୁରୀରେ ବା ଅନ୍ୟ କୌଶଳ ଅବଲମ୍ବନ କରି ଜଣେ ମୂର୍ଖ ନିଜକୁ ଜ୍ଞାନୀ ବୋଲି ପ୍ରଚାରିତ କରିବା ପାଇଁ ଶତ ଚେଷ୍ଟା କରୁଥିଲେ ମଧ୍ୟ ଅସଲ ନିକିତିରେ ମୂର୍ଖ ମୂର୍ଖ ବୋଲି ବିବେଚିତ ହୋ‍ଇଥାଏ।

ତେଣୁ କବିସୂର୍ଯ୍ୟ ବଳଦେବ ରଥ ଯଥାର୍ଥରେ ଲେଖିଥିଲେ ‘ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକର କି ହୋ‍ଇବ ଗାଈ’। ଅର୍ଥାତ ଗଙ୍ଗାଜଳରେ ନିଜକୁ ଧୋ‍ଇଦେଲେ ଘୁଷୁରି କ’ଣ କେବେ ଗାଈ ହୋ‍ଇଯାଇପାରିବ।

Comment