ଓଡ଼ିଶାଲାଇଭ୍‍ ଅନୁଚିନ୍ତା

(ଭାରତୀୟ ସଭ୍ୟତା ଓ ସଂସ୍କୃତି ଭିତରେ ରହିଛି ଏମିତି ଅନେକ ଗୁଢ଼ ଜ୍ଞାନ ଯାହାକି ଦୈନନ୍ଦିନ ଜୀବନ ପରିଚାଳନା କ୍ଷେତ୍ରରେ ଆମକୁ ମାର୍ଗଦର୍ଶନ ଦେଇଥାଏ। ତା’ ମଧ୍ୟରେ ଚାଣକ୍ୟ ନୀତି ଏକ ଲୋକପ୍ରିୟ ବିଷୟ। ପ୍ରାୟ ଅଢ଼େଇ ହଜାର ବର୍ଷ ତଳେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୀତିଶିକ୍ଷା ଆଜି ବି ଆମ ଜୀବନ ପାଇଁ ଆଦର୍ଶ ପରି ମନେହୁଏ। ଚାଣକ୍ୟଙ୍କ ସେହି ନୀତିଗୁଚ୍ଛରୁ ଗୋଟିଏ ଗୋଟିଏ ଓଡ଼ିଶାଲାଇଭ୍‍ର ପାଠକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଉଦ୍ୟମ।)

।। କଃ କାଳଃ କାନି ମିତ୍ରାଣି କୋ ଦେଶଃ କୌ ବ୍ୟୟାଗମୌ କଶ୍ଚାହଂ କା ଚ ମେ ଶକ୍ତିରିତି ଚିନ୍ତ୍ୟଂ ମୁହୁର୍ମୂହୁଃ।।

ଆଲୋଚନା: କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହାର ବିଭିନ୍ନ ଦିଗ ବିଷୟରେ ଚିନ୍ତା ଓ ତର୍ଜମା କରିବା ଆବଶ୍ୟକ। ଅର୍ଥାତ ସେହି କାମ କରିବା ପାଇଁ କେଉଁ ସମୟ ହେଉଛି ଉପଯୁକ୍ତ, କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ କେଉଁ ବନ୍ଧୁ ବା ସହଯୋଗୀମାନେ ସହଯୋଗର ହାତ ବଢ଼ାଇପାରନ୍ତି, କାର୍ଯ୍ୟ ଉତ୍ତମ ରୂପେ ଲାଗୁ କରିବା ପାଇଁ କେଉଁ ଦେଶ ବା କ୍ଷେତ୍ର ଉପଯୁକ୍ତ ଏବଂ ସେ ବାବଦରେ କେତେ ଆୟ ଓ ବ୍ୟୟ ହେବ ତଥା ତାହା ଆପଣଙ୍କ ଆର୍ଥିକ ବ୍ୟବସ୍ଥା ପାଇଁ ଅନୁକୂଳ କି ନୁହେଁ – ଏସବୁ ବିଷୟରେ ବିସ୍ତୃତ ଭାବେ ଅନୁଧ୍ୟାନକରି କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ।

କେବଳ ସେତିକି ନୁହେଁ, ସମ୍ପୃକ୍ତ କାର୍ଯ୍ୟକୁ ଆରମ୍ଭକରି ତାହାକୁ ଶେଷ କରିବା ପାଇଁ ଆପଣଙ୍କ ପାଖରେ ଆବଶ୍ୟକ ଶକ୍ତି ଓ କ୍ଷମତା ଅଛି କି ନାହିଁ, ତାହା ମଧ୍ୟ ଭଲରୂପେ ଚିନ୍ତା କରିବା ଦରକାର।

ସମାଜରେ ଆମେ ଏଭଳି ଅନେକ ବ୍ୟକ୍ତିଙ୍କୁ ଦେଖୁ, ଯେଉଁମାନେ ଅନ୍ୟକୁ ଦେଖି ବା କାହାଠାରୁ ଶୁଣି ଆଗପଛ ବିଚାର ନକରି ଗୋଟିଏ କାର୍ଯ୍ୟ ଆରମ୍ଭ କରିବାକୁ ଡେଇଁ ପଡ଼ନ୍ତି। ଏହି ବ୍ୟକ୍ତିମାନେ ଅନେକ ସମୟରେ ବିଫଳ ହୁଅନ୍ତି କିମ୍ବା କାର୍ଯ୍ୟ ସମ୍ପାଦନ ସମୟରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି।

ଭାରତୀୟ ସାମାଜିକ ଜ୍ଞାନ ଭିତରେ ‘ସ୍ଥାନ, କାଳ, ପାତ୍ର’ ବିଷୟରେ ଯେଉଁ ବିଶେଷ ଉଲ୍ଲେଖ ରହିଛି, ଚାଣକ୍ୟଙ୍କ ଏହି ନୀତିଶିକ୍ଷା ତାହାର ଏକ ଉଦାହରଣ।

Comment