ଭାସ୍କର ପରିଚ୍ଛା

ଦୀପାବଳିରେ କେବଳ ରାତି ୮ରୁ ୧୦ ଯାଏଁ ବାଣ ଫୁଟା ଯାଇପାରିବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ଏ ବର୍ଷ କେହି ପାଳନ କରିନାହାନ୍ତି। ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ସମଗ୍ର ଦେଶରେ ସନ୍ଧ୍ୟାରୁ ଢ଼େର ରାତି ପର୍ଯ୍ୟନ୍ତ ଲୋକେ କେବଳ ଫୁଲଝରି ନୁହେଁ, ଜୋର ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇ ଚାଲିଥିଲେ। ସୋସିଆଲ ମିଡ଼ିଆ ଓ ପାରମ୍ପରିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଊଣାଅଧିକେ ସମସ୍ତେ ଅବମାନନା କରିଥିଲେ।

ଖୋଦ ଦେଶର ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳ ବା ଏନସିଆରରେ ଯେଉଁଠି ସୁପ୍ରିମକୋର୍ଟ ରହିଛି ଦୀପାବଳି ରାତିରେ ଲୋକେ ୫୦ ଲକ୍ଷ କେଜି ବାଣ ଫୁଟାଇ ରେକର୍ଡ଼ ସୃଷ୍ଟି କରିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏତେ ପରିମାଣରେ ବାଣ ଦିଲ୍ଲୀରେ ଫୁଟିଥିଲା ଯେ, ପ୍ରଦୂଷଣ ୭୭ ଗୁଣ ଅଧିକ ବଢ଼ି ଯାଇଥିଲା।

ସେହିଭଳି କୋଲକାତା, ଚେନ୍ନାଇ, ହାଇଦ୍ରାବାଦ ଭଳି ବଡ଼ ବଡ଼ ମେଟ୍ରୋ ସହରରେ ମଧ୍ୟ କେହି ସୁପ୍ରିମକୋର୍ଟ ଆଦେଶକୁ ଖାତିର କରି ନଥିଲେ ଓ ଘଣ୍ଟା ଘଣ୍ଟା ଧରି ବାଣର ମଜା ନେଉଥିଲେ। ଏହି ନିୟମ ଉଲ୍ଲଂଘନ ଯୋଗୁଁ ବହୁ ସ୍ଥାନରେ ଅବଶ୍ୟ ପୋଲିସ ବାଣଫୁଟାଳିଙ୍କୁ ଗିରଫ କରିଥିଲା।

ତେବେ ଅସଲ ପ୍ରଶ୍ନ ହେଉଛି ସୁପ୍ରିମକୋର୍ଟର ଆଦେଶକୁ କେହି ନମାନିବା ଘଟଣା। ଏଥିପାଇଁ ଆମେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ନିୟୋଜିତ ଥିବା ସଂସ୍ଥାମାନଙ୍କୁ କଦାପି ଦୋଷ ଦେଇ ପାରିବାନାହିଁ, କାରଣ ବାଣ ଫୁଟାକୁ କେହି କେବେ ବନ୍ଦ କରିପାରିବେ ନାହିଁ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବିଭିନ୍ନ ସାମାଜିକ ପ୍ରସଙ୍ଗରେ କୋର୍ଟରୁ ଯେଉଁସବୁ ରାୟ ଆସୁଛି ତାହାକୁ ପାଳନ କରିବା କଷ୍ଟକର ବ୍ୟାପାର। ନ୍ୟାୟାଳୟର ଏହି ଅତିଉତ୍ସୁକତାର ଗୋଟିଏ ସୀମା ରହିଛି। ସତ କଥାଟି ହେଉଛି ସମାଜର ପ୍ରଚଳିତ ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଚଳଣି ଉପରେ ରାତାରାତି କଟକଣା ଲାଗୁ କରିବା ସମ୍ଭବ ନୁହେଁ।

ଯେଉଁ କଥା ସରକାର ଓ ତାଙ୍କ ସଂସ୍ଥାମାନେ କରିବା କଥା ସେ ସବୁ ଦାୟିତ୍ୱ ପାଳନ ଯଦି ନ୍ୟାୟାଳୟ ହାତକୁ ଯାଏ, ତେବେ ଅରାଜକତା ସୃଷ୍ଟି ହେବା ନିଶ୍ଚିତ। ଆହୁରି ସ୍ପଷ୍ଟ ଭାବରେ କହିଲେ, ଯଦି  ସବୁ ସାମାଜିକ ପରମ୍ପରା ଓ ଅଭ୍ୟାସ ଉପରେ କୋର୍ଟ ଦଖଲ ଦିଅନ୍ତି ଓ ସେହି ସବୁ ନିର୍ଦ୍ଦେଶ ଯଦି କାର୍ଯ୍ୟକାରୀ ନହୁଏ ପରିଶେଷରେ କୋର୍ଟର ମର୍ଯ୍ୟାଦା ହିଁ ନଷ୍ଟ ହେବ, ଆଉ କାହାର କିଛି ହେବ ନାହିଁ।

ଗଣତନ୍ତ୍ରରେ ନ୍ୟାୟପାଳିକା, ବ୍ୟବସ୍ଥାପକ ସଭା ଓ ସରକାରଙ୍କ ଦାୟିତ୍ୱ ଅଲଗା ଅଲଗା। ଲୋକଙ୍କର ଆସ୍ଥା ହରାଇଲେ ସରକାର ଭୋଟ ନପାଇବାର ଭୟ ରହିଛି। କିନ୍ତୁ ନ୍ୟାୟପାଳିକା – ଯାହା ଲୋକଙ୍କ ପାଖରେ ଉତ୍ତରଦାୟୀ ନୁହେଁ – ଯଦି ସରକାର ଓ ଲୋକ ପ୍ରତିନିଧିମାନଙ୍କ କ୍ଷମତା ଉପରେ ଦଖଲ ଦେବା ଆରମ୍ଭ କରିବେ ତାହା ମୁସ୍କିଲ ପରିସ୍ଥିତି ସୃଷ୍ଟି କରିବ। ସବୁ ସମସ୍ୟାର ସମାଧାନ କୋର୍ଟ ହସ୍ତକ୍ଷେପ ଦ୍ୱାରା ସମ୍ଭବ ନୁହେଁ। ବେଳେ ବେଳେ ଏହି ହସ୍ତକ୍ଷେପ ଭଲ କରିବା ପରିବର୍ତ୍ତେ ଅଧିକ ଖରାପ କରିଥାଏ।

ଆହୁରି ମଧ୍ୟ, ବାଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅନେକଗୁଡ଼ିଏ ସର୍ତ୍ତ ରଖିଥିଲେ। କେତେ ସମୟ ପର୍ଯ୍ୟନ୍ତ ବାଣ ଫୁଟା ଯାଇପାରିବ, କେଉଁ ପ୍ରକାର ବାଣ ଫୁଟାଇବେ ଇତ୍ୟାଦି। ଦିଲ୍ଲୀବାସୀ ‘ସବୁଜ ବାଣ’ ବା ଗ୍ରୀନ କ୍ରାକର କେବଳ ଫୁଟାଇବେ ବୋଲି ନିର୍ଦ୍ଦେଶ ଦିଆଗଲା।

କିନ୍ତୁ କେହି ଜାଣନ୍ତି ନାହିଁ ଏହି ସବୁଜ ବାଣ କ’ଣ? ଏହି ନିର୍ଦ୍ଦେଶଟି ଲୋକଙ୍କ ମନରେ ବାସ୍ତବିକ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଏପରିକି ସୁପ୍ରିମକୋର୍ଟ ଆଦେଶକୁ ତାତ୍ସଲ୍ୟ କରିବାକୁ ଯାଇ ଦିଲ୍ଲୀରେ କିଛି ବ୍ୟବସାୟୀ ଫୁଲଝରି ଓ ଚକ୍ରି ଆଦି ବାଣକୁ ପରିବା ଭିତରେ ରଖି ବିକିବା ଆରମ୍ଭ କଲେ।

ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟ ଗୋଷ୍ଠୀଗତ ବାଣଫୁଟା ଉପରେ ବି ଗୁରୁତ୍ୱ ଦେବାକୁ ଯାଇ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଦୀପାବଳୀ ଘରେ ଘରେ ପାଳନ ହେବା ବିଧି ରହିଥିବା ବେଳେ ଏକାଠି ହୋଇ ସମସ୍ତେ ବାଣ ଫୁଟାଇବେ – ଏହା ଏକ ଅସମ୍ଭବ ପରିକଳ୍ପନା।

କହିବାର କଥା ହେଲା ଆମେ ସାମାଜିକ ପରମ୍ପରା ଓ ସାଂସ୍କୃତିକ ପ୍ରବାହକୁ ରାତାରାତି ବନ୍ଦ କରି ଦେଇପାରିବା ନାହିଁ। ଯେଉଁଗୁଡ଼ିକ ଆମ ହିତରେ ନୁହେଁ, ସେଗୁଡ଼ିକୁ କେବଳ ସଚେତନତା ମାଧ୍ୟମରେ ହିଁ ବନ୍ଦ କରାଯାଇପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment