ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ସଭାପତି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କ୍ଷମତା ଅଳିନ୍ଦରେ ରାଜନୀତିର ଚାଣକ୍ୟ କୁହାଯାଇଥାଏ। ତେବେ ବହୁ ଥର ତାଙ୍କର ରଣନୀତି ପୂରା ଫେଲ ମାରିଛି। ଏହାର ତାଜା ଉଦାହରଣ ହେଉଛି ମହାରାଷ୍ଟ୍ର। ଶନିବାର ଦିନ ଭୋର ଭୋରରୁ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାରଙ୍କ ନେତୃତ୍ୱରେ ଯେଉଁ ଶପଥ ଗ୍ରହଣ କରାଗଲା ତାହା ପଛରେ ଅମିତ ଶହଙ୍କ ମୁଣ୍ଡ ହିଁ କାମ କରିଥିଲା।

ଏହି ଘଟଣା ପରଠାରୁ ସୋସିଆଲ ମିଡ଼ିଆରେ ଢ଼େର ବୁଲିବାକୁ ଲାଗିଲା। ଏ ନେଇ ବେଶ୍ କିଛି ମିମ୍ସ ବି ଲୋକେ ଦେଖି ଆସୁଛନ୍ତି। ଏହା ମଧ୍ୟରେ ଗୋଟିଏ ମଜା ମିମ୍ସ ହେଉଛି, ‘ଯେଉଁଠି ଜିତୁଛୁ ସେଠି ସରକାର ଗଢ଼ୁଛୁ, ଯେଉଁଠି ହାରୁଛୁ ସେଠି ଡେଫିନାଇଟଲି ଗଢ଼ୁଛୁ।’

ତିନି ଦିନ ଭିତରେ ମହାରାଷ୍ଟ୍ରରେ ସବୁ ଓଲଟ ପାଲଟ ହେବା ପରେ ଆଜି ଫଡନାଭିସ ପଦରୁ ଇସ୍ତଫା ଦେଇଛନ୍ତି ଯାହାକି ବିଜେପି ପାଇଁ ଏକ ବଡ଼ ଧକ୍କା ହୋଇଛି। ତେବେ ଏହା ପୂର୍ବରୁ ବି ଚାଣକ୍ୟ କେତେ ଜାଗାରେ ଝୁଣ୍ଟିଛନ୍ତି। ଆସନ୍ତୁ ତା ଉପରେ ନଜର ପକେଇବା।

କର୍ଣ୍ଣାଟକ

କର୍ଣ୍ଣାଟକରେ ବି ମହାରାଷ୍ଟ୍ର ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୃହରେ ବିଶ୍ୱାସ ଭୋଟ ଲୋଡ଼ିବା ବେଳେ ୟେଡିୟୁରାପ୍ପା ସଂଖ୍ୟା ନଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ମେ ୨୦୧୮ର ଘଟଣା। କାର୍ଣ୍ଣାଟକରେ ବି ମହାରାଷ୍ଟ୍ର ଭଳି ବିଜେପି ପାଇଁ ସଂଖ୍ୟାର ଅଭାବ ଥିଲା ଓ ବିଜେପି ଏହି ସଂଖ୍ୟାକୁ ଯୋଗାଡ଼ କରିବାରେ ବିଫଳ ହୋଇଥିଲା।

ଗୁଜରାଟ

୨୦୧୭ ମସିହାରେ ଗୁଜରାଟରେ ବି ଏହିଭଳି ଏକ କଥା ଘଟିଥିଲା। ସେଠାକାର ତିନୋଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଦୁଇଟିରେ ଅମିତ ଶାହ ଓ ସ୍ମୃତି ଇରାନି ବିଜୟୀ ହୋଇଥିଲେ। କିନ୍ତୁ ତୃତୀୟ ଆସନଟି କଂଗ୍ରେସର ଅହ୍ମଦ ପଟେଲଙ୍କ ହାତକୁ ପଳାଇଯାଇଥିଲା। ବିଜେପି କିଛି କଂଗ୍ରେସ ବିଧାୟକଙ୍କୁ ହାତ କରି ତାର ପ୍ରାର୍ଥୀ ବଳବନ୍ତ ରାଜପୁତଙ୍କୁ ଜିତାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କିଛି ବୈଷୟିକ କାରଣ ଯୋଗୁଁ ବିଜେପି ହାତରୁ ଏହି ଆସନଟି ଖସି ଯାଇଥିଲା। ଦୁଇ କଂଗ୍ରେସ ବିଧାୟକ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ବୋଲି କ୍ୟାମେରା ଆଗରେ ଦେଖାଇବା ହେତୁ ଗୋପାନୀୟତାର ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନଙ୍କ ରାୟ ପରେ ଅହମଦ ପଟେଲ ଜିତିଥିଲେ।

ଉତ୍ତରାଖଣ୍ଡ

୨୦୧୬ ମସିହାରେ ଉତ୍ତରଖଣ୍ଡରେ ବି ବିଜେପି ସଭାପତିଙ୍କ ପ୍ଲାନ ଅକାମୀ ହୋଇଯାଇଥିଲା। ସେଠାରେ କଂଗ୍ରେସ ନେତୃତ୍ୱରେ ଚାଲିଥିବା ହରିସ ରାବତ ସରକାରରୁ ୯ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ସରକାର ଅଳ୍ପ ସଂଖ୍ୟକ ହୋଇଯାଇଥିଲା। ରାଜ୍ୟପାଳଙ୍କ ରିପୋର୍ଟକୁ ଭିତ୍ତି କରି ମୋଦି ସରକାର ସଙ୍ଗେସଙ୍ଗେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ ଓ ରାଷ୍ଟ୍ରପତି ଶାସନ ଜାରି ବି ହେଲା। ଏହି ନିଷ୍ପତ୍ତି ବିରୋଧରେ କଂଗ୍ରେସ ହାଇକୋର୍ଟ ଗଲା। ହାଇକୋର୍ଟ ଏହି ନିଷ୍ପତ୍ତିକୁ ଅବୈଧ କହିଲେ। ତା ପରେ ମାମଲା ସୁପ୍ରିମକୋର୍ଟ ଗଲା। ପରେ ରାବତ ସରକାର ଆସ୍ଥା ଭୋଟ ଲଢ଼ିବେ। କଂଗ୍ରେସ ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ହରିସ ରାବତ ସରକାର ପୁଣି କ୍ଷମତାକୁ ଫେରିଲା।

Comment