ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଅପରେସନ ଲୋଟସରେ ବିଜେପିକୁ ଆସିଥିବା କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ଏଥର ବିଧାନସଭା ମୁହଁ ଦେଖିବାରେ ବିଫଳ ହୋଇଛନ୍ତି।

ଜେଡିଏସ୍-କଂଗ୍ରେସ ସରକାରକୁ ଭାଙ୍ଗିବା ଏବଂ ବିଜେପିକୁ କର୍ଣ୍ଣାଟକରେ ସରକାର ଗଠନ କରିବାରେ ସହଯୋଗ କରିଥିବା ସେତେବେଳେର କଂଗ୍ରେସ ଓ ଜେଡିଏସ୍ ବିଧାୟକମାନେ ଏଥର ନିର୍ବାଚନରେ ଚିତ୍‌ପଟାଙ୍ଗ ମାରିଛନ୍ତି। ‘୨୦୧୮ ଅପରେସନ ଲୋଟସ’ ବେଳେ କୋଳେଇ ନେଇଥିବା ବିଜେପି ଏଥର ସମସ୍ତ ବିଦ୍ରୋହୀଙ୍କୁ ଟିକଟ ଦେଇନାହିଁ। ଯେଉଁମାନେ ଟିକଟ ପାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହାରିଯାଇଛନ୍ତି।

୨୦୧୮ ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲା। ୧୦୪ ଆସନ ଜିତିଥିବା ବେଳେ ମ୍ୟାଜିକ ନମ୍ବର ୧୧୩ରୁ ୯ ଆସନ ପଛରେ ରହିଯାଇଥିଲା ବିଜେପି। କଂଗ୍ରେସ ୮୦ ଓ ଜେଡିଏସ୍ ୩୭ଟି ଆସନ ଜିତିଥିଲେ।

କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଗଠନ ପାଇଁ ଦାବି ରଖିଥିଲେ ମଧ୍ୟ ରାଜ୍ୟପାଳ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେଇଥିଲେ। କିନ୍ତୁ ୟେଦିୟୁରପ୍ପାଙ୍କ ନେତୃତ୍ଵାଧୀନ ଏହି ସରକାର ମାତ୍ର ୬ ଦିନରେ ଭାଙ୍ଗିଗଲା।

ପରେ କଂଗ୍ରେସ ସମର୍ଥନରେ ଜେଡିଏସ୍ ସରକାର ଗଢ଼ିଥିଲା। କୁମାର ସ୍ଵାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ସରକାର ବି ଷଡ଼ଯନ୍ତ୍ରର ଶିକାର ହୋଇଥିଲା। ରାଜନୀତିର ଅନୈତିକ କୁହାଯାଉଥିଲେ ମଧ୍ୟ ବେଆଇନ ନୁହେଁ, ସେମିତି ଏକ ବାଟ ବାହାର କରିଥିଲା ବିଜେପି।

ଅଭିଯୋଗ ଅନୁସାରେ ‘ଅପରେସନ ଲୋଟସ’ ପାଇଁ କଂଗ୍ରେସ ଓ ଜେଡିଏସ୍‌ର ୧୭ ବିଧାୟକ ରାତାରାତି କୁମାର ସ୍ଵାମୀଙ୍କ ସରକାରକୁ ସଂଖ୍ୟାଲଘୁ କରି ଦେଇଥିଲେ। ଏହି ୧୭ ବିଧାୟକ ଇସ୍ତଫା ଦେବା ପରେ ସଂଖ୍ୟାଲଘୁ ହୋଇଯାଇଥିଲା କୁମାର ସ୍ଵାମୀ ସରକାର। ଏହା ପରେ ୟେଦିୟୁରପ୍ପା ସରକାର ଗଢ଼ିଥିଲେ।

ସେତେବେଳେ ଇସ୍ତଫା ଦେଇଥିବା ସମସ୍ତ ୧୭ ବିଧାୟକ ବିଜେପି ଟିକଟରେ ଉପ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ଛାଡ଼ିଦେଲେ ସମସ୍ତେ ଜିତିଥିଲେ। ଗୋଟେ ସରକାର ଭାଙ୍ଗି ଦେଇଥିବା ଏହି ବିଧାୟକଙ୍କୁ ୟେଦିୟୁରପ୍ପା ଗୁରୁତ୍ଵ ଦେଇଥିଲେ ମଧ୍ୟ ସେମାନେ ଚଳିତ ନିର୍ବାଚନରେ ବିଜେପି ବିରୋଧରେ ଥିବା ଜନଅସନ୍ତୋଷର ଶିକାର ହୋଇଛନ୍ତି।

ସେଦିନର ବିଦ୍ରୋହକୁ କର୍ଣ୍ଣାଟକର ଜନତା ଦୀର୍ଘ ଦିନ ଯାଏଁ ମନେ ରଖିବେ। କର୍ଣ୍ଣାଟକ ନିର୍ବାଚନ ଇତିହାସରେ ବି ସେମାନଙ୍କର ନାମ ସ୍ଵତନ୍ତ୍ର ଭାବେ ଉଲ୍ଲେଖ ରହିବ। ଗତଥର ନିର୍ବାଚନ ଜିତିବା ପରେ କଂଗ୍ରେସ ଓ ଜେଡିଏସ୍‌କୁ ଧୋକ୍କା ଦେଇ ବିଜେପି ଶରଣକୁ ଚାଲିଯାଇଥିବା ଏହି ନେତାମାନଙ୍କୁ ଏଥର ଭୋଟର ଜବାବ୍ ଦେଇଛନ୍ତି।

୨୦୧୮ ବିଧାନସଭା ନିର୍ବାଚନରେ ଶିବାଜୀନଗରରୁ ଜିତିଥିବା କଂଗ୍ରେସ ବିଧାୟକ ଆର୍‌ ରୋଶନ ବେଗଙ୍କୁ ଏଥର ଟିକେଟ ମିଳିନଥିଲା। ଗୋଟକ ଆସନରୁ ଲଢ଼ିଥିବା ଗତଥରର ବିଦ୍ରୋହୀ କଂଗ୍ରେସ ବିଧାୟକ ଏଥର ସେଠାରୁ ହାରି ଯାଇଛନ୍ତି। ଗତ ଥର କଂଗ୍ରେସ ଟିକେଟରେ ବିଜୟନଗର ଆସନରୁ ଜିତିଥିଲେ ଆନନ୍ଦ ସିଂହ। ପରେ ଉପ ନିର୍ବାଚନରେ ବିଜେପି ଟିକଟରୁ ଜିତି ଯାଇଥିଲେ ମଧ୍ୟ ଏଥର ତାଙ୍କୁ ଟିକଟ ମିଳିନି। ଏହି ଆସନ କଂଗ୍ରେସକୁ ଯାଇଛି।

ସେହିପରି ବିଦ୍ରୋହୀ କଂଗ୍ରେସ ପ୍ରାର୍ଥୀ ଓ ଏବେ ବିଜେପିର ପ୍ରାର୍ଥୀଙ୍କ ମଧ୍ୟରୁ ବି.ସି ପାଟିଲ, ଏମ୍‌ଟିବି ନାଗରାଜ, କେ ସୁଧାକର, ମହେଶ କୁମାଥହାଲି, ପ୍ରତାପ ଗୋବିନ୍ଦ ପାଟିଲ ପରାଜିତ ହୋଇଛନ୍ତି। ତେବେ ଏସ୍‌ଟି ସୋମଶେଖର, ବି ବାସବରାଜ, ଶିବରାମ ହେବର ଜିତିବାରେ ସଫଳ ହୋଇଛନ୍ତି। ୧୩ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କୁ ଟିକେଟ ମିଳିନି ଓ ୭ ଜଣ ହାରିଯାଇଛନ୍ତି।

ସେହିପରି ଜେଡିଏସ୍‌ର ବିଦ୍ରୋହୀ ଏଚ୍ ବିଶ୍ଵନାଥଙ୍କୁ ଏଥର ବିଜେପି ଟିକଟ ଦେଇନି। ଏହି ଆସନ ଜେଡିଏସ୍ ରଖିବାରେ ସଫଳ ହୋଇଛି। ସେହପରି ଜେଡିଏସ୍ ବିଦ୍ରୋହୀ ନାରାୟଣ ଗୌଡ଼ାଙ୍କୁ ଏଥର ଟିକେଟ ମିଳିନଥିବା ବେଳେ ଏହି ଆସନ କଂଗ୍ରେସ ଖାତାକୁ ଯାଇଛି।

ତେବେ ଜେଡିଏସ୍‌ର ଏକମାତ୍ର ବିଦ୍ରୋହୀ ପ୍ରାର୍ଥୀ କେ ଗୋପାଳୟା ଜିତିବାରେ ସଫଳ ହୋଇଛନ୍ତି। ସ୍ଵାଧୀନ ଭାବେ ଜିତି ବିଜେପିକୁ ଯାଇଥିବା ଆର୍ ଶଙ୍କରଙ୍କୁ ଏଥର ଟିକଟ ମିଳିନାହିଁ। ତାଙ୍କ ଆସନଟି କଂଗ୍ରେସ ଖାତାକୁ ଯାଇଛି।

Tags: #Politics #KarnatakaPolitics #KarnatakaAssemblyElection #BJP #Congress

Comment