ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୫ ମାସ ପରେ ପୁଣି ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ରା

ଗୁରୁବାର ଦିନ ସକାଳୁ ସକାଳୁ ବିଜେପିର ଜାତୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଓ ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଯେତେବେଳେ ବିଜୟ ମହାପାତ୍ରଙ୍କ ନୂଆପଲ୍ଲୀ ବାସଭବନରେ ପହଞ୍ଚିଲେ ସ୍ୱାଭାବିକ ଭାବରେ  ମିଡିଆ ତତ୍ପର ହୋଇ ଯାଇଥିଲା।

ତତ୍ପରତା କେବଳ ମିଡିଆ ନୁହେଁ ସମସ୍ତଙ୍କ ପାଖରେ ପ୍ରକାଶ ପାଇଥିଲା। ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜୟ ମହାପାତ୍ରଙ୍କ ଶେଷରେ ଘର ୱାପସ ହେଲା। ଶୁଣାଯାଉଛି ବୈଜୟନ୍ତ ଓ ଅରୁଣ ପହଞ୍ଚିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ବି ଦିଲ୍ଲୀରୁ ଫୋନ କରି ଦଳକୁ ଫେରିବାକୁ ବିଜୟଙ୍କୁ ବୁଝେଇଥିଲେ।

ବିଜୟଙ୍କ ପ୍ରତ୍ୟାବର୍ତ୍ତନ ବର୍ତ୍ତମାନ ସମୟରେ ବିଜେପି ପାଇଁ ସବୁଠାରୁ ବଡ଼ ଘଟଣା, କାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଓ ଦଳ କିଛି ଗୋଟିଏ କରି ଦେଖାଇବା ପାଇଁ ଉଦ୍ୟମ କରୁଛି। ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ବିଜୟଙ୍କ ପାଇଁ ମଧ୍ୟ ଏହି ସୁଯୋଗ ହାତଛଡ଼ା କରିବାର ଅବକାଶ ନଥିଲା। ବିଜୟଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀପ ରାୟଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ବିଜେପିକୁ ନଫେରିବା ଛଡ଼ା ବିଜୟଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା।

ବିଜୟଙ୍କ ଘର ବାହୁଡ଼ାର ଫାଇଦା ବେଶୀ ବିଜେପିକୁ ହିଁ ହେବ। ଏକେତ ଦଳ ଏକ ଆକ୍ରମଣାତ୍ମକ ସ୍ଥିତିରେ ପହଞ୍ଚିଛି। ଧର୍ମେନ୍ଦ୍ର ଓ ତାଙ୍କ ଟିମ ପାଇଁ ଏବେ ‘କର ବା ମର’ ଅବସ୍ଥା। ଏହି ପରିସ୍ଥିତିରେ ବିଜୟଙ୍କ ଭଳି ନେତାଙ୍କ ଉପସ୍ଥିତି ମାନସିକ ଭାବେ ଦଳ ପାଇଁ ଅନୁକୂଳ ହେବ। ଧର୍ମେନ୍ଦ୍ର-ବୈଜୟନ୍ତ-ଦାମୋଦର-ବିଜୟ ଏହି ଚତୁର୍ଦ୍ଧା ମୁରତିର ନିର୍ବାଚନ ପ୍ରଚାର ନବୀନଙ୍କ ନିଦ ହଜାଇବା ଭଳି ସ୍ଥିତି ସୃଷ୍ଟି କରିବା ପାଇଁ ଯାଉଛିା ଏଥିରେ ସନ୍ଦେହ ନାହିଁ। ଆହୁରି ମଧ୍ୟ,ଏ ଚାରିଙ୍କୁ ମୁକାବିଲା କରିବା ପାଇଁ ବିଜେଡିରେ କେହି ନେତା ହିଁ ନାହାନ୍ତି।

ବର୍ତ୍ତମାନର ପ୍ରଶ୍ନ ଘର ବାହୁଡ଼ା ପରେ ବିଜୟଙ୍କୁ ଦଳ ଟିକେଟ ଦେବ କି ନା? ଯଦି ଦେବ କେଉଁଠୁ ଦେବ? ଯାହା ଆଶା କରାଯାଉଛି ପାଟକୁରା ଆସନରୁ ଲଢ଼ିବା ପାଇଁ ବିଜୟଙ୍କୁ କୁହାଯିବ। ପାଟକୁରା ବିଜୟଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ ହୋଇଥିବା କାରଣରୁ ଏଠାରୁ ଜିତିବା ତାଙ୍କ ପକ୍ଷରେ ଖୁବ୍ ସହଜ। ରାଜନୈତିକ ମହଲରେ ଚାଲିଥିବା ଆଲୋଚନା ଅନୁସାରେ ବେଦ ପ୍ରକାଶ ଅଗ୍ରୱାଲ ବିଜୟଙ୍କ ତୁଳନାରେ ହାଲକା ପଡିବା ଜଳଜଳ ଦେଖାଯାଉଛି।

Comment