ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

Hot Seat of 2019 Mahasamar

ଆସନ୍ତା ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ କଳାହାଣ୍ଡି ସଂସଦୀୟ ଆସନ ପାଇଁ ମତଦାନ ହେବ। ଏଣୁ ନିର୍ବାଚନ ପାଣିପାଗ ଏଠାରେ ସରଗରମ ହୋଇପଡ଼ିଛି। ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ବର୍ତ୍ତମାନଠାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।

କଳାହାଣ୍ଡି ଲୋକସଭା ଆସନ ପ୍ରକୃତରେ ଏକ ହଟ୍‌ ସିଟ୍‌ କାରଣ ଏଠାରୁ ତିନି ଜଣ ହେଭିୱେଟ ନେତା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ପକ୍ଷରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ ଶାସକ ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯାଇଛି।

Kalahandi Lok sabha Seatବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ନୂଆପଡ଼ା ଜିଲ୍ଲାର ହୋଇଥିବା କାରଣରୁ ତାଙ୍କୁ ନୂଆପଡ଼ାରୁ ପୂରା ଭୋଟ ମିଳିପାରେ ବୋଲି ଆଲୋଚନା ହେଉଛି। ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ ସ୍ଥାନୀୟ ବିଧାୟକ ହେବା ସତ୍ତ୍ୱେ ତାଙ୍କ ପ୍ରଚାର ଏ ପର୍ଯ୍ୟନ୍ତ ଜୋର ଧରିନଥିବା ଦେଖାଯାଉଛି। ନିର୍ବାଚନରେ ପୁଷ୍ପେନ୍ଦ୍ରଙ୍କ ପାଇଁ କାଳିଆ ଯୋଜନା କଣ୍ଟା ହୋଇପାରେ ବୋଲି କୁହାଯାଉଛି। କିଛି ହିତାଧିକାରୀଙ୍କୁ କାଳିଆ ଟଙ୍କା ନ ମିଳିବାରୁ ସେମାନେ କ୍ଷୁବ୍ଧ।

ତେଣେ ଭକ୍ତ ଦାସ ଏଠାରୁ ଜିତିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଭକ୍ତଙ୍କ ପାଇଁ ସମସ୍ୟା ହେଉଛି ବାପା-ପୁଅ ରାଜନୀତି। ତାଙ୍କ ପୁଅ ସାଗର ଦାସ ଏଥର ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବାପା ଓ ପୁଅଙ୍କ ରାଜନୀତିକୁ ଲୋକେ ପସନ୍ଦ କରୁଛନ୍ତି କି ନା ତାହା ଭୋଟ ଫଳାଫଳରୁ ଜଣା ପଡ଼ିବ। ଗତ ଥର ଏଠାରୁ ନିର୍ବାଚନ ଜିତିଥିବା ଅର୍କ କେଶରୀ ଦେଓଙ୍କୁ ଏଥର ବିଜେଡି ଭୋଟ ନଦେଇଥିବାରୁ ପୁଷ୍ପେନ୍ଦ୍ରଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ।

କଳାହାଣ୍ଡି ଲୋକସଭା ଆସନ ଜାତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥିବାରୁ ଏଠି କେହି କାହାକୁ ଜାଗା ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ତେବେ ଅନ୍ୟ ଦୁଇ ଜଣ ପ୍ରାର୍ଥୀଙ୍କ ଅପେକ୍ଷା ବସନ୍ତ ପଣ୍ଡାଙ୍କ ଜିତିବା ଜରୁରୀ ହୋଇଛି କାରଣ ସେ ବିଜେପିର ରାଜ୍ୟ ସଭାପତି। କଳାହାଣ୍ଡି ଲୋକସଭା ଆସନରେ ବିଭିନ୍ନ ସମସ୍ୟା ଓ ବିବାଦୀୟ  ପ୍ରସଙ୍ଗ ରହିଥିବା ବେଳେ ପ୍ରାର୍ଥୀମାନେ କିଭଳି ଭୋଟରଙ୍କୁ ସାମ୍ନା କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment