ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପାରାଦୀପ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ଶନିବାର ପାରଦୀପ କଂଗ୍ରେସ ନେତା ପ୍ରମୋଦ ଜେନା ଦଳୀୟ କର୍ମୀଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବର୍ତ୍ତମାନ ବିପଥଗାମୀ ହେଉଥିବା ଅଭିଯୋଗ କରି ଦଳର ପ୍ରାଥମିକ ସଦସ୍ୟରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ନିଜ ଇସ୍ତଫା ପତ୍ରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ପାରାଦୀପ ବିଧାନସଭା ଆସନରୁ ଚଳିତ ବର୍ଷ ଜଣେ ଅପରାଧୀ ବ୍ୟକ୍ତିକୁ କଂଗ୍ରେସ ପ୍ରାର୍ଥୀ କରିଛି। ଏଭଳି ସ୍ଥିତିରେ ସେ କଂଗ୍ରେସରେ ରହିବାକୁ ଉଚିତ୍ ମନେ କରୁନାହାନ୍ତି ବୋଲି ପ୍ରମୋଦ ଇସ୍ତଫା ପତ୍ରରେ ଲେଖିଛନ୍ତି। ଶହ ଶହ ଦଳୀୟ କର୍ମୀମଧ୍ୟ ଏହି ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି।

ପ୍ରମୋଦ ଜେନା ରାଜ୍ୟ କଂଗ୍ରେସର ସମ୍ପାଦକ ପଦରେ ଥିଲେ। ପ୍ରମୋଦ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, “ଦଳ ନିଜର ନୀତି ,ଆଦର୍ଶକୁ ହାରାଇଛି, ଯାହା ଫଳରେ ଟିକେଟ୍‌ ପାଇ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦଳ ଛାଡ଼ୁଛନ୍ତି।”

ଚଳିତ ବର୍ଷ ପାରାଦୀପ ବିଧାନସଭା ଆସନରୁ କଂଗ୍ରେସ ଅରିନ୍ଦମ ସର୍ଖେଲ (ବାପି)ଙ୍କୁ ପାର୍ଥୀ କରିଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ପ୍ରମୋଦ ଜେନା କଂଗ୍ରେସରୁ ଇସ୍ତଫା ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବାପି ସର୍ଖେଲଙ୍କ ବିପକ୍ଷରେ ବିଜେଡି ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତଙ୍କୁ ପ୍ରାର୍ଥୀ କରିଛି।

Comment