ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୬ ରାଜ୍ୟସଭା ନେତାଙ୍କୁ ବିଜେଡି ବିଧାନସଭା ଓ ଲୋକସଭା ଆସନ ପାଇଁ ଟିକେଟ ଦେଇଛି।

କଂଗ୍ରେସ ଏବଂ ବିଜେପି ପରି ବିଜେଡିରେ ବି ପ୍ରାର୍ଥୀ ଅଭାବ। କଂଗ୍ରେସ ଏବଂ ବିଜେପିରେ ଟାଣୁଆ ପ୍ରାର୍ଥୀ ନଥିବାରୁ ସେମାନେ ଅନ୍ୟ ଦଳରୁ ଆସିଥିବା ନେତାଙ୍କ ଉପରେ ଭରସା କରୁଛନ୍ତି। ବିଜେଡି ମଧ୍ୟ ସେହି ରାସ୍ତାରେ ପାଦ ଦେଇଛି।

ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ ଦେବା ପରେ ଏବେ ରାଜ୍ୟସଭା ନେତାଙ୍କୁ ବିଧାନସଭା ପାଇଁ ଟିକେଟ ଦେଉଛି ଦଳ। ପ୍ରାୟ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ଏଥର ବିଜେଡି ଲୋକସଭା ଏବଂ ବିଧାନସଭା ଆସନ ପାଇଁ ଟିକେଟ ଦେଇଛି।

ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତିଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ମିଳିଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ କେଶରୀ ଦେବ ଏବଂ ସରୋଜିନୀ ହେମ୍ବ୍ରମଙ୍କୁ ଦଳ ବିଧାନସଭା ପାଇଁ ପ୍ରାର୍ଥୀ କରିଛି।

କନ୍ଧମାଳରୁ ଅଚ୍ୟୁତ ସାମନ୍ତ

ମାର୍ଚ୍ଚ ୭ରେ ବିଜେଡିରେ ଯୋଗ ଦେଇଥିଲେ ବିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ବିଜେଡିରେ ଯୋଗ ଦେବା ପରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା। ଏବେ ତାଙ୍କୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। ଅଚ୍ୟୁତ କନ୍ଧମାଳରୁ ବିଜେଡି ଟିକେଟରେ ଲଢ଼ୁଛନ୍ତି। ଆଦିବାସୀ ଭୋଟ ହାତେଇବା ପାଇଁ ବିଜେଡି ଅଚ୍ୟୁତଙ୍କୁ ପ୍ରାର୍ଥୀ କରିଛି ବିଜେଡି।

କେନ୍ଦ୍ରାପଡ଼ାରୁ ଅନୁଭବ

ଅଭିନେତାରୁ ରାଜନେତା ବନିଥିବା ଅନୁଭବ ମହାନ୍ତିଙ୍କୁ ବିଜେଡି ଦୁଇ ବର୍ଷ ତଳେ ରାଜ୍ୟସଭାକୁ ପଠାଇଥିଲା। କିନ୍ତୁ ଏବେ ଅନୁଭବଙ୍କୁ ଦଳ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଟିକେଟ ଦେଇଛି। ଅନୁଭବ କେନ୍ଦ୍ରାପଡ଼ାରେ ପ୍ରଚାର କରୁଛନ୍ତି। ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସରୁ ଧରଣୀଧର ନାୟକ।

ବରଗଡ଼ରେ ପ୍ରସନ୍ନ

୨୦୧୪ରେ ନିର୍ବାଚନ ହାରିଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ରାଜ୍ୟସଭାକୁ ପଠାଇଥିଲା। ରାଜ୍ୟସଭାରେ ବିଜେଡିର ନେତା ଥିଲେ ପ୍ରସନ୍ନ। ହେଲେ ଏଥର ତାଙ୍କୁ ଦଳ ବରଗଡ଼ରୁ ପ୍ରାର୍ଥୀ କରିଛି। ୨୦୨୨ରେ ପ୍ରସନ୍ନଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ପ୍ରସନ୍ନଙ୍କ ବିପକ୍ଷରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ସୁରେଶ ପୂଜାରୀ।

ଖଣ୍ଡପଡ଼ାରୁ ସୌମ୍ୟରଞ୍ଜନ

ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ବିଜେଡି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସୌମ୍ୟରଞ୍ଜନ ଆମ ଓଡ଼ିଶା ପାର୍ଟି ଛାଡ଼ି ମାର୍ଚ୍ଚ ୭ରେ ବିଜେଡିରେ ଯୋଗ ଦେବା ପରେ ରାଜ୍ୟସଭାକୁ ଯାଇଥିଲେ। ହେଲେ ଏବେ ସେ ବିଧାନସଭା ଆସନ ପାଇଁ ଲଢୁଛନ୍ତି। ୨୦୦୯ରେ ସୌମ୍ୟ ଖଣ୍ଡପଡ଼ାରୁ କଂଗ୍ରେସ ଟିକେଟ ଏବଂ ୨୦୧୪ରେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

ଆଳିରୁ ପ୍ରତାପ ଦେବ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ପ୍ରତାପ କେଶରୀ ଦେବ। ପ୍ରତାପ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୧୪ ନିର୍ବାଚନରେ ପ୍ରତାପ ପରାଜିତ ହେବା ପରେ ଦଳର ମୁଖପାତ୍ର ରହିଥିଲେ। ଏହାପରେ ତାଙ୍କୁ ରାଜ୍ୟସଭା ଟିକେଟ ମିଳିଥିଲା। ହେଲେ ଆଳିରୁ ବିଜେଡିର ଆଉ କେହି ଟାଣୁଆ ନେତା ନଥିବାରୁ ପୁଣି ପ୍ରତାପଙ୍କ ଉପରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ।

ବାରିପଦାରୁ ସରୋଜିନୀ

ଉତ୍ତର ଓଡ଼ିଶାର ପ୍ରମୁଖ ନିର୍ବାଚନମଣ୍ଡଳୀ ବାରିପଦାରୁ ପ୍ରାର୍ଥୀ ହୋଇଛନ୍ତି ସରୋଜିନୀ ହେମ୍ବ୍ରମ। ୨୦୦୯ରେ ସେ ବାଙ୍ଗିରିପୋଷି ବିଧାନସଭା ଆସନରୁ ଜିତି ମନ୍ତ୍ରୀ ହୋଇଥିଲେ। ୨୦୧୪ରେ ସରୋଜିନୀଙ୍କୁ ରାଜ୍ୟସଭା ପଠାଇଥିଲା ଦଳ। ଏବେ ସେ ରାଜ୍ୟସଭା ସାଂସଦ ଅଛନ୍ତି।

Comment