ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି। ରବିବାର ବେଙ୍ଗାଳୁରୁ ବିପକ୍ଷ ମ୍ୟାଚ୍‌ରେ ଧୋନି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆଇପିଏଲରେ ୨୦୦ ଛକା ମାରିବାର ରେକର୍ଡ କରିଛନ୍ତି। ଏହି ମ୍ୟାଚରେ ଧୋନି ଧୁଆଁଧାର  ବ୍ୟାଟିଂ କରି ନିଜସ୍ୱ ୮୪ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ୍ ମ୍ୟାଚ୍‌ ହାରିଛି।

ଚେନ୍ନାଇ ସୁପରକିଙ୍ଗ୍ସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଏହି ଇନିଂସ୍‌ରେ ୫ ଚୌକା ଓ ୭ ଛକା ମାରିଥିଲେ ଧୋନି। ଏଥିସହ ଆଇପିଏଲ ଇତିହାସରେ ପ୍ରଥମ ଭାରତୀୟ ଭାବେ ୨୦୦ ଛକା ମାରି ରେକର୍ଡ କରିଛନ୍ତି। ଗତକାଲିର ମ୍ୟାଚ୍‌ ସହିତ ଧୋନିଙ୍କ ଆଇପିଏଲ୍‌ରେ ମୋଟ ୨୦୩ଟି ଛକା ମାରିଛନ୍ତି।

ଏହାକୁ ବାଦ୍‌ ଦେଲେ ଧୋନି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରଥମ ଅଧିନାୟକ ଭାବେ ଧୋନି ଆଇପିଏଲ୍‌ କ୍ୟାରିୟରରେ ୪ ହଜାର ରନ୍‌ ସଂଗ୍ରହ କରିଛନ୍ତି। ଧୋନି ଆଇପିଏଲ୍‌ରେ ମୋଟ ୧୬୮ଟି ମ୍ୟାଚ୍‌ ଖେଳି ୪୦୩୯ ରନ୍ ସଂଗ୍ରହ କରିଛନ୍ତି। ୩୯୩୩ ରନ୍ କରି ଅଧିନାୟକ ଭାବେ ଧୋନିଙ୍କ ପରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Comment