ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଫେବ୍ରୁଆରି ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୫୫ ଲକ୍ଷ ନୂତନ ଗ୍ରାହକ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ଯାହାକି ରାଜ୍ୟରେ ଟେଲି ସାନ୍ଦ୍ରତା ବୃଦ୍ଧି ଦିଗରେ ସହାୟକ ହୋଇପାରିଛି ବୋଲି ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଏ) ପକ୍ଷରୁ ପ୍ରକାଶିତା ରିପୋର୍ଟରେ କୁହାଯାଇଛି।

ଟ୍ରାଏ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪-ଜି ନେଟୱର୍କ ମାଧ୍ୟମରେ ନୂତନ ଗ୍ରାହକ ଯୋଡ଼ିବା କ୍ଷେତ୍ରରେ ଅଗ୍ରଣୀ ରହିଛି। ଏଥିସହିତ ୨୦୧୯ ଫେବ୍ରୁଆରି ମାସରେ ଜିଓ ୩.୫୫ ଲକ୍ଷ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଛି। ଫେବୃଆରୀ ସୁଦ୍ଧା ଓଡ଼ିଶାରେ ଜିଓ’ର ମୋଟ ଗ୍ରାହକ ସଂଖ୍ୟା ୮୭ ଲକ୍ଷ ଅତିକ୍ରମ କରିଛି।

ଜିଓ ପଛକୁ ବିଏସ୍ଏନ୍ଏଲ୍ ଫେବ୍ରୁଆରି ମାସରେ ୧.୫୧ ନୂତନ ଗ୍ରାହକ ସାମିଲ କରିଛି। ତେବେ ଭୋଡାଫୋନ ଆଇଡିଆ ଏହି ମାସରେ ୨.୩୫ ଲକ୍ଷ ଗ୍ରାହକଙ୍କୁ ହରାଇଛି ବୋଲି ଟ୍ରାଏ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

ଫେବୃଆରୀ ୨୮ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩.୩୫ କୋଟିରୁ ଊଦ୍ଧ୍ୱର୍ରେ ପହଞ୍ଚିଥିବା ବେଳେ ଏୟାରଟେଲ୍‌ର ଗ୍ରାହକ ସଂଖ୍ୟା ୧.୩୧ କୋଟି ରହିଛି। ଏହା ପଛକୁ ରିଲାଏନ୍ସ ଜିଓ’ର ଗ୍ରାହକ ସଂଖ୍ୟା ପ୍ରାୟ ୮୮ ଲକ୍ଷ, ବିଏସ୍ଏନ୍ଏଲ୍‌ର ୫୭ ଲକ୍ଷ, ଭୋଡାଫୋନ୍ ଆଇଡିଆ ୫୪.୫୮ ଲକ୍ଷ ଏବଂ ଟାଟା ଟେଲି ସର୍ଭିସେସ୍‌ର ଗ୍ରାହକ ସଂଖ୍ୟା ୪.୬ ଲକ୍ଷ ରହିଛି।

ଜାତୀୟସ୍ତରରେ ମଧ୍ୟ ନୂତନ ଗ୍ରାହକ ସୃଷ୍ଟି କ୍ଷେତ୍ରରେ ରିଲାଏନ୍ସ ଜିଓ ଆଗରେ ରହିଛି। ଫେବ୍ରୁଆରୀ ମାସରେ ୭୮ ଲକ୍ଷ ନୂତନ ଗ୍ରାହକ ସାମିଲ କରିବାକୁ ସକ୍ଷମ ହୋଇଛି। ଜିଓ ପଛକୁ ବିଏସ୍ଏନ୍ଏଲ୍ ଜାତୀୟସ୍ତରରେ  ପ୍ରାୟ ୯ ଲକ୍ଷ ନୂତନ ଗ୍ରାହକ ସୃଷ୍ଟି କରିପାରିଥିବା କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ମାସ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟାରେ ୨.୨୮ ଲକ୍ଷ ବୃଦ୍ଧି ଘଟିଥିବା ବେଳେ ଗତ ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ରିପୋର୍ଟରେ ଓଡ଼ିଶାର ପ୍ରାୟ ୬୬ ପ୍ରତିଶତ ମୋବାଇଲ ଉପଭୋକ୍ତା କେବଳ ଗ୍ରାମାଞ୍ଚଳର ବୋଲି ଦର୍ଶାଯାଇଛି।

Comment