ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଛି। ଏବେ ଫେବ୍ରୁଆରି ୧୪ ନୁହେଁ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ। ୧୪ ତାରିଖରୁ ସ୍କୁଲ ଖୋଲାଯିବ, କିନ୍ତୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଘରେ ରହି ଛାତ୍ରଛାତ୍ରୀ ଅନଲାଇନ କ୍ଲାସ୍ ପରିବେ। ଫେବ୍ରୁଆରି ୧୪ରୁ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଞ୍ଚାୟତ ନିର୍ବାଚନ ପାଇଁ ସ୍କୁଲଗୁଡ଼ିକରେ ପୋଲିଂ ବୁଥ୍ ହେଉଥିବାରୁ ଏହିଭିଳି ନିଷ୍ପତ୍ତି ହୋଇଛି।

ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ଦୁଇ ବର୍ଷ ହେଲା ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଫଳରେ ସ୍କୁଲ ବାରଣ୍ଡା ମାଡ଼ି ପାରିନଥିଲେ ଛାତ୍ରଛାତ୍ରୀ। ବର୍ତ୍ତମାନ କୋଭିଡର ତୃତୀୟ ଲହର ଶେଷ ହେବାକୁ ଆସୁଛି। ରାଜ୍ୟରେ କୋଭିଡ ସଂକ୍ରମଣ ହାର କମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଏବଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଫେବ୍ରୁଆରି ୧୪ ତାରିଖ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଗତ ୩ ତାରିଖ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଥିଲେ।

Comment