ଓଡ଼ିଶାଲାଇଭ୍ ବ୍ୟୁରୋ

ଆତ୍ମଘାତୀ ବିସ୍ଫୋରଣ ପରେ ଭାରତୀୟ ନାଗରିକ ଶ୍ରୀଲଙ୍କା ନଯିବାକୁ କେନ୍ଦ୍ର ସରକାର ବାରଣ କରିଛନ୍ତି।

ଶ୍ରୀଲଙ୍କାରେ  ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବିସ୍ଫୋରଣ ପରେ ସେଠାରେ ସ୍ଥିତି ଉତ୍ତେଜନା ରହିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଭାରତୀୟ ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ବର୍ତ୍ତମାନ ସ୍ଥିତିରେ କୌଣସି ଭାରତୀୟ ନାଗରିକ ଅତି ଜରୁରି ନଥିଲେ ଶ୍ରୀଲଙ୍କା ଯାତ୍ରା କରନ୍ତୁ ନାହିଁ ବୋଲି ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି।

ଏଥିସହିତ ଯେଉଁମାନେ ଏବେବି ଶ୍ରୀଲଙ୍କାରେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଶ୍ରୀଲଙ୍କାରେ ଥିବା ଭାରତୀୟ ନାଗରିକ ଶ୍ରୀଲଙ୍କାର ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହନ୍ତୁ ଏବଂ କୌଣସି ପ୍ରକାର ସହାୟତା ପାଇଁ କଲୋମ୍ବୋସ୍ଥିତ ଭାରତୀୟ ହାଇକମିଶନଙ୍କ ସହ ଯୋଗାଯେଗ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

କଲୋମ୍ବୋସ୍ଥିତ ଭାରତୀୟ ଦୂତାବାସ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି।

ଭାରତ ପୂର୍ବରୁ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ବ୍ରିଟେନ, ନ୍ୟୁଜିଲାଣ୍ଡ ସମେତ ଅନ୍ୟ କେତେକ ଦେଶ ସେମାନଙ୍କ ନାଗରିକଙ୍କୁ ବତ୍ତର୍ମାନ ସ୍ଥିତିରେ ଶ୍ରୀଲଙ୍କା ନଯିବାକୁ ପରାମର୍ଶ ଦେଇଥିଲେ।

ଏପ୍ରିଲ ୨୧ରେ ଇଷ୍ଟର ପର୍ବ ଅବସରରେ ଶ୍ରୀଲଙ୍କା ବିଭିନ୍ନ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବେ ବି ଅନେକ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comment