ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଲାଣି। ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଖରା ପ୍ରଭାବରେ ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ରବିବାର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ତାଳଚେରରେ ସର୍ବାଧିକ ୪୬.୩ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ ହୋଇଛି। ସେହିପରି ଟିଟିଲାଗଡ଼ରେ ୪୪.୫, ଝାରସୁଗଡ଼ାରେ୪୩.୨, ଅନୁଗୁଳରେ ୪୩.୧,  ସମ୍ବଲପୁର ଓ ବଲାଙ୍ଗୀରରେ ୪୩ ଡିଗ୍ରୀ , ଭବାନିପାଟଣାରେ ୪୨.୫, ହୀରାକୁଦରେ ୪୧.୯, ସୋନପୁରରେ ୪୧.୬, ମାଲକାନଗିରି ୪୧.୫, ସୁନ୍ଦରଗଡ଼ରେ ୪୧, କେନ୍ଦୁଝରରେ ୪୦.୬, ଚାନ୍ଦବାଲିରେ ୪୦.୫, ଭୁବନେଶ୍ୱରରେ ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ କରାଯାଇଛି।

୩ ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବ। ଆସନ୍ତା ୩ ଦିନ ପାଇଁ ୯ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, ବରଗଡ, ସୋନପୁର, ସୁନ୍ଦରଗଡ ଓ ନୂଆପଡା ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଆସନ୍ତା ୩୦ ସୁଦ୍ଧା ଗଭୀର ସମୁଦ୍ରରୁ ମତ୍ସଜୀବୀ ଫେରିବାକୁ ପରାମର୍ଶ ଦିଆଯାଇଛି। ୩ ତାରିଖରେ ପବନର ବେଗ ୭୦ କିମି ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନ ରହିଛି। ୨ ତାରିଖରୁ ଓଡ଼ିଶା ଉପକୂଳରେ ୪୦ରୁ ୪୫ କିମି ବେଭରେ ପବନ ବହିବାର ଅନୁମାନ କରାଯାଉଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

Comment