ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’କୁ ନେଇ ଏବେ ସବୁଠି ଚର୍ଚ୍ଚା।

୧୯୯୯ ମହାବାତ୍ୟା ହେଉ କି ଫାଇଲିନ୍, ହୁଡ୍‌ହୁଡ୍‌, ତିତଲି, ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ଏହି ବାତ୍ୟାର କରାଳ ରୂପକୁ ଦେଖିଛନ୍ତି ଓଡ଼ିଶାବାସୀ। କିନ୍ତୁ ଏବେ ମେ’ ମାସରେ ଆସୁଛି ବାତ୍ୟା ‘ଫନି’। ତେବେ ଭୟଙ୍କର ରୂପ ନେଇ ମେ’ ମାସରେ କାହିଁକି ବାତ୍ୟା ଆସିଲା ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ଏହାର କାରଣ କହିଛନ୍ତି।

‘‘ଏବେ ସମୁଦ୍ରରେ ତାପମାତ୍ରା ଅଧିକ ରହିଛି। ମାର୍ଚ୍ଚ ମାସରୁ ସୂର୍ଯ୍ୟଙ୍କ କିରଣ ବଢ଼ିଥାଏ। ଏହାର ପ୍ରଭାବ ସମୁଦ୍ର ଉପରେ ପଡ଼ିଥାଏ। ଫଳରେ ସମୁଦ୍ରର ତାପମାନ ବୃଦ୍ଧି ପାଇଥାଏ। ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଇଥାଏ ସମୁଦ୍ରରେ। ଫଳରେ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ହୋଇଥାଏ। ଏବେ ବିଶ୍ୱତାପନ ଯୋଗୁଁ ସମୁଦ୍ରପତ୍ତନରେ ୩୦ରୁ ୩୧ ଡିଗ୍ରୀ ଯାଏଁ ତାପମାତ୍ରା ରହୁଛି। ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବେ ବି ତାପମାତ୍ରା ଅଧିକ ରହିଛି। ଫଳରେ ମେ’ ମାସରେ ବାତ୍ୟା ସୃଷ୍ଟି ହୋଇଛି’’, କହିଛନ୍ତି ଶରତ ଚନ୍ଦ୍ର ସାହୁ।

ଶରତ ଚନ୍ଦ୍ର ସାହୁ ଆହୁରି କହିଛନ୍ତି, ‘‘ମୌସୁମୀ ଆସିବା ପୂର୍ବରୁ ଏବଂ ପରେ ସାଧାରଣତଃ ବାତ୍ୟା ସୃଷ୍ଟି ହୋଇଥାଏ। ବାୟୁମଣ୍ଡଳର ଉପରିଭାଗର ୧୫ କିଲୋମିଟର ଉଚ୍ଚରେ ଜେଡ୍ ଷ୍ଟ୍ରିମ ରହିଛି। ହିମାଳୟର ଉପରିଭାଗରେ ଏହା ରହିଥିଲା। କିନ୍ତୁ ଗତ ୧୫ରୁ ୨୦ ଦିନ ହେଲା ପ୍ରତିଦିନ କାଳବୈଶାଖୀ ହେଉଥିଲା। ଫଳରେ ଜେଡ୍ ଷ୍ଟ୍ରିମ୍ ତଳକୁ ଖସି ଆସିଥିଲା। ଏହି କାରଣ ପାଇଁ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।’’

କିଏ ଦେଲା ବାତ୍ୟାର ନାଁ ‘ଫନି’?

ଫାଇଲିନ୍, ହୁଡ୍‌ହୁଡ୍ ଏବଂ ତିତଲି ପରେ ଏବେ ଓଡ଼ିଶା ମୁହାଁ ହୋଇଛି ବାତ୍ୟା ‘ଫନି’। ପୁରୀ ଜିଲ୍ଲାରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ବାତ୍ୟାର ନାମକରଣ କିଏ କରୁଛି ସେ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀ ସାହୁ।

ସେ କହିଛନ୍ତି ଯେ ଆରବ ସାଗର ଏବଂ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ ପ୍ରାୟ ୮ଟି ଦେଶ ପ୍ରଭାବିତ ହୋଇଥାଏ। ଭାରତ, ବାଂଲାଦେଶ, ମାଳଦୀପ, ମିଆଁମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ଉପରେ ବାତ୍ୟାର ପ୍ରଭାବ ପଡ଼ିଥାଏ। ଏଣୁ ଏହି ୮ଟି ଦେଶ ହିଁ ବାତ୍ୟାର ନାମକରଣ କରିଥାନ୍ତି। ବଂଲାଦେଶ ଏଥା ବାତ୍ୟାର ନାଁ ‘ଫନି’ ଦେଇଛି। ୨୦୦୪ରୁ ବାତ୍ୟାର ନାମକରଣ ଆରମ୍ଭ ହୋଇଛି।

Comment