ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ପରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସ୍ଥିତି ପରଖିଲା ଓଡ଼ିଶାଲାଇଭ୍ ଟିମ୍।

(ଭୁବନେଶ୍ୱରରୁ ସତ୍ୟବ୍ରତ ପାଢ଼ୀ): ବାତ୍ୟା ‘ଫନି’ ଓଡ଼ିଶା ଉପକୂଳରେ ତାଣ୍ଡବ ରଚି ଚାଲି ଯାଇଛି। ହେଲେ ଏହାର ପ୍ରଭାବରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଫନି ପ୍ରଭାବରେ ହଜାର ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ଗତ ତିନି ଦିନ ହେଲା କ୍ୟାପିଟାଲ ହସ୍ପିଟାଲରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ବିଦ୍ୟୁତ ନଥିବାରୁ ରୋଗୀ ଅସୁବିଧା ଭୋଗୁଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ପାଣି ନାହିଁ। ସିଟି ସ୍କାନ, ଏକ୍ସରେ, ପାଥୋଲୋଜି, ସିଟି ସ୍କାନ ଅଚଳ ହୋଇ ଯାଇଛି। ଫଳରେ ରୋଗୀଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁ ନାହିଁ।ଫ୍ୟାନ ବୁଲୁ ନଥିବାରୁ ରୋଗୀମାନେ କଲବଲ ହେଉଛନ୍ତି।

କ୍ୟାପିଟାଲ ହସ୍ପିଟାଲର ଅତିରିକ୍ତ ନିର୍ଦ୍ଦେଶକ ଧନଞ୍ଜୟ ଦାସ ଓଡ଼ିଶାଲାଇଭକୁ କହିଛନ୍ତି, ‘‘ବାତ୍ୟା ଦିନ ସିଲିଂ ଖସିବା ପୂର୍ବରୁ ଏସଏନସିୟୁରୁ ରୋଗୀମାନଙ୍କୁ ପାଖ ରୁମକୁ ସ୍ଥାନାନ୍ତର କରିଥିଲୁ। ନବଜାତ ଶିଶୁମାନଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୪୦୦ ଲୋକ ଆସି ଜବରଦସ୍ତ ରହୁଥିଲେ। ଏମାନଙ୍କୁ ଆଜି ଡିସିପି ହଟାଇଛନ୍ତି।’’

ସେ ଆହୁରି କହିଛନ୍ତି ଯେ ଇସିଜି, ଏକ୍ସରେ, ସିଟିସ୍କାନ ମେସିନ ଚଳାଇବା ସମ୍ଭବ ନୁହେଁ। କାରଣ ଏଥିପାଇଁ ତିନି ଫେଜ୍ ଲାଇନ ଆବଶ୍ୟକ। ଆମ ପାଖରେ ୧୦ଟି ଜେନେରେଟର ଅଛି। ହେଏେ ଏଥିରେ ମେସିନ ଚାଲିବା ସମ୍ଭବ ହେଉନି। ବାତ୍ୟା ଦିନରୁ ବର୍ତ୍ତମାନ ସୁଦ୍ଧା ୧୦୮୭ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇଛି। ବର୍ତ୍ତମାନ ୬୦୦ ରୋଗୀ ମେଡିକାଲରେ ଅଛନ୍ତି।

ସବୁଠୁ ବଡ଼ କଥା ହେଉଛି କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ସୁଇପରମାନଙ୍କ ଘର ବାତ୍ୟାରେ ଭାଙ୍ଗି ଯାଇଥିବାରୁ ସେମାନେ ଛୁଟିରେ ଅଛନ୍ତି।

କଣାସ ଗାଣ୍ଡପଡ଼ା ଅଞ୍ଚଳର ରୋଗୀ ସିତା ପ୍ରଧାନ କହିଛନ୍ତି, ‘‘ବାତ୍ୟାରେ ଘରର ଖୁଣ୍ଟ ପଡ଼ିଯାଇ ମୋ’ ମୁଣ୍ଡ ଫାଟି ଯାଇଛି। କଣାସ ମେଡିକାଲରୁ ଆଜି କ୍ୟାପିଟାଲ ହସ୍ପିଟାଲକୁ ଆସିଛି। ହେଲେ ବିଦ୍ୟୁତ ନଥିବାରୁ ଅସୁବିଧା ହେଉଛି। ମୋ’ ସାଙ୍ଗରେ ଆସିଥିବା ସମ୍ପର୍କୀୟମାନେ ମଧ୍ୟ ହଇରାଣ ହେଉଛନ୍ତି।’’

ରାମଚଣ୍ଡୀ ପୋଲିସ ଷ୍ଟେସନର ଏଏସ୍ଆଇ ଭିମସେନ ମଲ୍ଲିକ ମଧ୍ୟ ବାତ୍ୟାରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବାତ୍ୟା ଦିନ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ହେଲେ ରାସ୍ତା ସଫା ନଥିବାରୁ ସେ ଆଜି ହସ୍ପଟାଲ ଆସିଥିଲେ। କିନ୍ତୁ ବିଦ୍ୟୁତ ନଥିବାରୁ ଏକ୍ସ ରେ ସମ୍ଭବ ହୋଇ ନଥିବା ଭିମସେନ ମଲ୍ଲିକ କହିଛନ୍ତି।

Comment