ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ପ୍ରଭାବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବ୍ୟାପକ କ୍ଷତି ହୋଇଛି। ୩୦ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ।
୫୧ଟି ଅନୁଷ୍ଠାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଏସବୁର ପୁନଃ ନିର୍ମାଣ ନିମନ୍ତେ ୩୦ କୋଟି ୫୭ ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ବିଭାଗ ତରଫରୁ କୁହାଯାଇଛି।
ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ ଜିଲ୍ଲାରେ ଥିବା ୨୨ଟି ସରକାରୀ ଆଇଟିଆଇର କ୍ଷତି ଭରଣା ନିମନ୍ତେ ୨୫ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
ସେହିପରି ଖୋର୍ଦ୍ଧା, କଟକ, ଗଞ୍ଜାମ ଜିଲ୍ଲାର ୪ଟି ସରକାରୀ ଇଞ୍ଜିନିୟରିଂ କଲେଜର ପୁନର୍ଗଠନ ନିମନ୍ତେ ୩ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱରସ୍ଥିତ ରାଜ୍ୟ ନିୟୋଜନ ନିର୍ଦ୍ଦେଶାଳୟର ପୁନଃନିର୍ମାଣ ନିମନ୍ତେ ୫୦ ଲକ୍ଷ, ଜଗତସିଂହପୁର ଜିଲ୍ଲା ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।


















