ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ବାତ୍ୟା ମୋର ସବୁକିଛି ନେଇଗଲା। ଖାଇବାକୁ ନାହିଁ, ପିଇବାକୁ ନାହିଁ, ରହିବାକୁ ଘର ନାହିଁ। ପାଗଳ ପୁଅଟାକୁ ନେଇ ମୁଁ କେମିତି ରହିବି। କେମିତି ବଞ୍ଚିବି’’, ଏ ହୃଦୟ ବିଦାରକ ଶବ୍ଦ ବଳିଆପଣ୍ଡା ବସ୍ତିର ଜଣେ ବୃଦ୍ଧ ମହିଳାଙ୍କର। ଯିଏ ଫନିର ତାଣ୍ଡବରେ ହରାଇଛନ୍ତି ନିଜ ବାସଗୃହ।

ଦୀର୍ଘ ୨୦ ବର୍ଷ ପରେ ମେ’୩ରେ ଆଉ ଏକ ମହାବାତ୍ୟାର ସାମ୍ନା କରିଥିଲା ଓଡ଼ିଶା। ୧୯୯୯ ମସିହା ମହାବାତ୍ୟା ଓଡ଼ିଶା ଇତିହାସରେ ଏକ କଳା ଅଧ୍ୟାୟ ଥିଲା। ଏଥିରେ ରାଜ୍ୟର ବହୁ ଧନ ଜୀବନ ଧ୍ୱଂସ ହୋଇଥିଲା। ଏହାର ୨୦ ବର୍ଷ ପରେ ରାଜ୍ୟ ଠିକ ସେହିପରି ଏକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିଲା।

ଯାହାର ନାଁ ଥିଲା ‘ଫନି’। ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ। ଫନି ପ୍ରଭାବରେ ବଦଳିଯାଇଥିଲା ପୁରୀର ଭୂଗୋଳ। ଶ୍ରୀହୀନ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର।

ଫନି ତାଣ୍ଡବର ଠିକ ପରଦିନ ଓଡ଼ିଶାଲାଇଭ ଟିମ ପହଞ୍ଚିଥିଲା ପୁରୀର ବଳିଆପଣ୍ଡା ବସ୍ତିରେ। ଯେଉଁଠି ଫନି ବିଗାଡ଼ି ଦେଇଥିଲା ସଂପୃକ୍ତ ବସ୍ତିର ମାନଚିତ୍ର। ଉଜାଡ଼ି ଦେଇଥିଲା ଶହ ଶହ ଘର। ଫଳରେ ଅନେକ ଲୋକ ହୋଇଥିଲେ ବାସହୀନ।

ପୁରୀରେ ଫନି କାହାର ଘର ଭାଙ୍ଗି ଦେଇଛି ତ କାହାର ନିଜ ଲୋକଙ୍କୁ ସବୁଦିନ ପାଇଁ ଛଡ଼େଇ ନେଇଛି ତ ଆଉ କାହାର ଜୀବିକା ଉଜାଡ଼ି ଦେଇଛି। ସାମୁଦ୍ରିକ ଝଡ଼ ଫନି ପୁରୀବାସୀଙ୍କୁ ଦେଇଯାଇଛି ଏକ ଅଭୁଲା ଦୁଃଖ।

‘‘ବାସ ନାହିଁ, ଆଶ୍ରା ନାହିଁ, ରିକ୍ସା ଚଳାଇଲେ ପେଟକୁ ଦାନା ଯାଉଥିଲା। ଏବେ ସବୁକିଛି ଉଡ଼ିଗଲା। ଏବେ କେମିତି ଚଳିବୁ’’, କହିଥିଲେ ସେହି ଅଞ୍ଚଳର ଜଣେ ମହିଳା।

ଫନି ପରେ ପିଲାଠୁ ବୁଢ଼ା ସବୁ ରାସ୍ତା ଉପରେ। ନା ଖାଇବାକୁ ଅଛି, ନା ପିନ୍ଧିବାକୁ ଅଛି। ଫନିରେ ଅନେକ ପ୍ରାଣ ବି ହରାଇଛନ୍ତି। ପାଠପଢ଼ୁଆ ପିଲା ତାଙ୍କ ବହି ଖାତା ହରାଇଛନ୍ତି। ବାତ୍ୟା ପାଇଁ ଜୀବନ ବଞ୍ଚାଇବାକୁ ସିନା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଯାଇଥିଲେ ଲୋକେ ହେଲେ ଆଉ ସୁବକିଛି ହରେଇ ଦେଲେ।

ଫନିକୁ ୧୧ ଦିନ ବିତିଥିଲେ ବି ଏଯାଏଁ ପୁରୀର ସ୍ଥିତି ସ୍ୱାଭାବିକ ହୋଇନାହିଁ। ଧୀରେ ଧୀରେ ପ୍ରଶାସନ ସ୍ଥିତି ସୁଧାରିବାକୁ ଉଦ୍ୟମ ଚଳାଇଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment