ଓଡ଼ିଶାଲାଇଭ୍ ବ୍ୟୁରୋ

  • ହୋଟେଲ ଶିଳ୍ପ ଉପରେ ବାତ୍ୟା ପ୍ରଭାବ
  • ପୁରୀ, କଟକ, ଭୁବନେଶ୍ୱରର ଅନେକ ହୋଟେଲ କ୍ଷତିଗ୍ରସ୍ତ
  • ବାତ୍ୟାଫନିରେ ୫୦୦ କୋଟି ଟଙ୍କା ସମ୍ପତ୍ତି ନଷ୍ଟ
  • ହୋଟେଲଗୁଡ଼ିକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦାବି କଲା ଏଚଆର୍‌ଏଓ
  • ଚଳିତ ଆର୍ଥିକ ବର୍ଷରେ ୨୦୦୦ କୋଟି ଟଙ୍କାର କ୍ଷତି ସହିବ ହୋଟେଲ୍ଇଣ୍ଡଷ୍ଟ୍ରି
  • ଜୁନ୍ପ୍ରଥମ ସପ୍ତାହ ସୁଦ୍ଧା ପୁରୀରେ ହୋଟେଲ୍ ଚଳାଚଳ ସ୍ୱାଭାବିକ ହେବ

‘‘ବାତ୍ୟା ଫନି ପରେ ଓଡ଼ିଶାର ହୋଟେଲ ଶିଳ୍ପ ଉପରେ ବଡ଼ ପ୍ରଭାବ ପଡ଼ିଛି। ପୂର୍ବରୁ ଓଡ଼ିଶାରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିଲେ ମଧ୍ୟ ବାତ୍ୟା ଫନି ପୁରୀର ଅନେକ ହୋଟେଲରେ ବ୍ୟାପକ କ୍ଷୟକ୍ଷତି କରିଛି। ଭୁବନେଶ୍ୱର ଓ କଟକରେ ଥିବା ଅନେକ ହୋଟେଲ୍‌ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ପାଖାପାଖି ୫୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି’’, କହିଛନ୍ତି ହୋଟେଲ୍ ଆଣ୍ଡ୍ ରେସ୍ତାରାଁ ଆସୋସିଏସନ୍ ଅଫ୍ ଓଡ଼ିଶା(ଏଚଆରଏଓ)ର ଚେୟାରମ୍ୟାନ ଜେ କେ ମହାନ୍ତି।

ପୁରୀରେ ଚଳିତ ଆର୍ଥିକ ବର୍ଷରେ ମୋଟ ୨୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ଯାଉଛି ଓଡ଼ିଶାର ହୋଟେଲ୍‌ ଇଣ୍ଡଷ୍ଟ୍ରି। ତୁରନ୍ତ ପୁରୀରେ ଥିବା ହୋଟେଲଗୁଡ଼ିକୁ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ଦରକାର। ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେଲେ ହିଁ ହୋଟେଲ ବ୍ୟବସାୟ ପୂର୍ବାବସ୍ଥାକୁ ଫେରି ପାରିବ। ଭୁବନେଶ୍ୱର ଏବଂ କଟକରେ ହୋଟେଲ ବ୍ୟବସାୟ ସ୍ୱାଭାବିକ ହୋଇଛି। ପୁରୀରେ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ହୋଟେଲ ବ୍ୟବସାୟ ସ୍ୱାଭାବିକ ହେବ ବୋଲି ଶ୍ରୀ ମହାନ୍ତି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

‘‘ଆସନ୍ତା ରଥଯାତ୍ରା ପୂର୍ବରୁ ଭୁବନେଶ୍ୱର, କଟକ ଓ ପୁରୀରେ ସମସ୍ତ ହୋଟେଲ୍‌ ଠିକ୍‌ ହେବ ଏବଂ ଯେଉଁ ପର୍ଯ୍ୟଟକମାନେ ପୁରୀକୁ ଆସିବାକୁ ଚାହୁଁଛନ୍ତି ସେମାନେ ଆସିପାରିବେ। ଯେଉଁ ପର୍ଯ୍ୟଟକମାନେ ଗତ ୩ ମାସ ପୂର୍ବରୁ ଓଡ଼ିଶାକୁ ବୁଲିବାକୁ ଆସିବାକୁ ଚାହୁଁଥିଲେ ସେମାନେ ବିଭିନ୍ନ ହୋଟେଲ ବୁକିଂ କରିଥିଲେ। ଏବେ ବାତ୍ୟା ପରେ ରୁମ୍‌ଗୁଡ଼ିକୁ ବାତିଲ୍ କରୁଛନ୍ତି। ହୋଟେଲ୍ ପକ୍ଷରୁ ମଧ୍ୟ ପର୍ଯ୍ୟଟକମାନଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ କରାଯାଉଛି। ବଡ଼ ବଡ଼ କନ୍‌ଫରେନ୍ସ ଓ ବିବାହ ପାଇଁ ଯେଉଁ ହୋଟେଲ ବୁକ୍‌ ଥିଲା ତାହାକୁ ମଧ୍ୟ ଗ୍ରାହକମାନେ ବାତିଲ୍ କରୁଛନ୍ତି’’, କହିଛନ୍ତି ଜେ କେ ମହାନ୍ତି।

ପୁରୀରେ ଯେପରି ଆଗାମୀ ଦିନରେ କୃତ୍ରିମ ବନ୍ୟା ସୃଷ୍ଟି ନ ହୁଏ ସେଥିପାଇଁ ସ୍ୱରେଜ୍ ଲାଇନ୍‌ଗୁଡ଼ିକୁ ସଫା କରିବା ନିହାତି ଦରକାର। ପୁରୀ, ଭୁବନେଶ୍ୱର ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଭାଙ୍ଗି ଯାଇଥିବା ଗଛଗୁଡ଼ିକୁ ହଟାଇ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ହେବା ଦରକାର ବୋଲି କହିଛନ୍ତି ଜେ କେ ମହାନ୍ତି।

ସରକାର ହୋଟେଲିୟରମାନଙ୍କୁ ଏହି ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବା ଆବଶ୍ୟକ। ହୋଟେଲମାନଙ୍କରେ ଯାହା କ୍ଷୟକ୍ଷତି ହୋଇଛି ତାହା କଳନା କରିବା ବର୍ତ୍ତମାନ ସମ୍ଭବ ନୁହଁ। ଏହି ବିପର୍ଯ୍ୟୟ ସମୟରେ ଆସନ୍ତା ଦୁଇ ବର୍ଷ ଯାଏଁ ମୂଳଧନ ଉପରେ ହୋଟେଲ ମାଲିକମାନେ କୌଣସି ସୁଧ ନ ଦେବାକୁ ସରକାର ଏକ ନିଷ୍ପତ୍ତି ନେବା ଦରକାର ଏବଂ ଇନସ୍ୟୁରାନ୍ସ କମ୍ପାନିମାନେ ଚଳିତ ମାସ ଶେଷ ସୁଦ୍ଧା ୫୦% କ୍ଷତିପୂରଣ ଦେବା ଦରକାର ବୋଲି ଏଚ୍ଆର୍‌ଏଓ ପକ୍ଷରୁ କୁହାଯାଇଛି।

‘‘ଭୟଙ୍କର ବନ୍ୟା ପରେ ୨୦ ଦିନ ମଧ୍ୟରେ କେରଳରେ ଯେପରି ପର୍ଯ୍ୟଟନ ଶିଳ୍ପ ଆଗକୁ ଯାଇଥିଲା ଆମେ ମଧ୍ୟ ଖୁବ୍ କମ୍‌ ସମୟ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟନକୁ ପୁଣି ଥରେ ନୂଆ ରୂପରେ ଦେଶ ଏବଂ ଦେଶ ବାହାରର ପର୍ଯ୍ୟଟକମାନଙ୍କ ପାଖକୁ ନେବାକୁ ଉଦ୍ୟମ କରୁଛୁ। ସେଥିପାଇଁ ରାଜ୍ୟ ସରକାର ଦେଶ ତଥା ଦେଶ ବାହାରେ ରୋଡ୍ ସୋ’ ଏବଂ ବ୍ୟାପକ ପ୍ରଚାର ପ୍ରସାର କରିବାର ଆବଶ୍ୟକତା ରହିଛି’’, କହିଛନ୍ତି ଜେ କେ ମହାନ୍ତି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment