ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ
  • ୨ଟି ଏଜେଣ୍ଡାକୁ ଅନୁମୋଦନ
  • କାଳିଆ ଯୋଜନାରେ ବଢ଼ିଲା ହିତାଧିକାରୀ ସଂଖ୍ୟା
  • ବର୍ତ୍ତମାନ ସୁଦ୍ଧା ୪୨.୬୫ ଲକ୍ଷ ଚାଷୀ ପରିବାରକୁ ମିଳିଛି କାଳିଆ ଟଙ୍କା
  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ କ୍ୟାବିନେଟରେ ଗୁରୁତ୍ୱ

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନରେ ଶପଥ ନେବା ପରେ ଅପରାହ୍ଣରେ ସଚିବାଳୟରେ ବସିଥିବା ପ୍ରଥମ କ୍ୟାବିନେଟ୍ ବୈଠକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ଟି ଏଜେଣ୍ଡାକୁ ଅନୁମୋଦନ ମିଳିଥିଲା। କାଳିଆ ଯୋଜନା ଏବଂ ମିଶନ ଶକ୍ତିକୁ କ୍ୟାବିନେଟ୍‌ରେ ଗୁରୁତ୍ୱ ଦିଆଯାଇଥିଲା।

କାଳିଆ ଯୋଜନାରେ ହିତାଧିକାରୀ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିରେ ୫୦ ଲକ୍ଷ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଏବଂ ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାର ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ୪୨.୬୫ ଲକ୍ଷ ଚାଷୀ ପରିବାରକୁ କାଳିଆ ସହାୟତା ପ୍ରଦାନ କରାଯାଇଛି। ଏଥିରେ ୯.୪ ଲକ୍ଷ ଭୂମିହୀନ ଚାଷୀ ପରିବାର ଅଛନ୍ତି। ଆଜି ୮.୪ ଲକ୍ଷ ଚାଷୀ ପରିବାରକୁ କାଳିଆ ସହାୟତା ଦିଆଯାଇଛି। ଅନ୍ୟ ଚାଷୀମାନଙ୍କୁ ବିଧିବଦ୍ଧ ଯାଞ୍ଚ ପରେ ସହାୟତା ଦିଆଯିବ।

କ୍ୟାବିନେଟ୍ ବୈଠକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟବସାୟିକ ସୁଯୋଗ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରାକ୍ ୟୁନିଫର୍ମ ଯୋଗାଣ, ଧାନ ସଂରକ୍ଷଣ, କିରୋସିନ ଡିଲରସିପ୍, ବିହନ ଉତ୍ପାଦନ, ମଧ୍ୟାହ୍ନ ଭୋଜନ ପରିଚାଳନା, ମାଣ୍ଡିଆ ଲଡୁ ଯୋଗାଣ, ଚାରା ରୋପଣ, ଜଙ୍ଗଲଜାତ ଦ୍ରବ୍ୟର ମାନବୃଦ୍ଧି, ପଞ୍ଚାୟତ ପୋଖରୀରେ ମାଛ ଚାଷ, ହସ୍ପିଟାଲକୁ ଖାଦ୍ୟ ଯୋଗାଣ, ସାନିଟାରି ନାପ୍‌କିନ୍‌, ମଶାରୀ ଯୋଗାଣ, ଇଲେକ୍ଟ୍ରି ମିଟର ରିଡିଂ ଓ ବିଲ୍ ଆଦାୟ କାର୍ଯ୍ୟ ଆଦି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି।

Comment