ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ସମୟରେ ପରିବେଶ ଯେଉଁଭଳି ପ୍ରଦୂଷଣ ହେଉଛି, ଭ୍ରମଣ କରିବା ପାଇଁ ସାଇକେଲ ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ। ସାଇକେଲ ପ୍ରଦୂଷଣ ରୋକିବା ସହ ଆମ ଶରୀରକୁ ସୁସ୍ଥ ରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେଣୁ ସାଇକେଲର ବ୍ୟବହାରକୁ ବହୁଳ ଭାବେ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଛି ମିଳିତ ଜାତିସଂଘ।

ବିଶ୍ୱ ସାଇକେଲ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ସାଇକେଲିଂ ଓ ଆଡ୍‌ଭେଞ୍ଚର କ୍ଲବ(ବିସିଏସି) ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ଭୁବନେଶ୍ୱର କ୍ଲବ ନିକଟରୁ ବାହାରି ନନ୍ଦନକାନନ ଯାଏଁ ଯାଇଛି। ଏହି ସାଇକେଲ ରାଲିରେ ମହିଳା ଓ ଶିଶୁଙ୍କ ସହିତ ୩୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇଥିଲେ।

“ଜଣେ ଦାୟିତ୍ୱବାନ୍ ବ୍ୟକ୍ତି ଭାବେ ପରିବେଶକୁ ସୁସ୍ଥ ରଖିବା ପାଇଁ ଆମ ସମସ୍ତଙ୍କୁ ସାଇକେଲର ବ୍ୟବହାର କରିବା ଦରକାର” ବିସିଏସି ସଭାପତି ତଥା ଅତିରିକ୍ତ ଡିଜିପି ସଞ୍ଜୀବ ପଣ୍ଡା କହିଛନ୍ତି।

ବିସିଏସିର ସମ୍ପାଦକ ଅଜୟ କୁମାର ନନ୍ଦ କହିଛନ୍ତି,”ସାଇକେଲିଂ ଦ୍ୱାରା ପରିବେଶ ପ୍ରଦୂଷଣ ଦୂର ହେବା ସହିତ ଶରୀର ସୁସ୍ଥ ରୁହେ। ଏହା ବ୍ୟତୀତ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା କମ୍‌ କରିବା ପାଇଁ ସାଇକେଲିଂ କରିବା ନିତ୍ୟାନ୍ତ ଜରୁରୀ।”

ଅନ୍ୟପକ୍ଷରେ ସ୍ମାର୍ଟସିଟି ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା କମ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ସାଇକେଲ’ ସେବା ଯୋଗାଇ ଦିଆଯାଇଛି। ସାଧାରଣ ଲୋକେ ଅତି କମ୍‌ ମୂଲ୍ୟରେ ସାଇକେଲ୍‌ ବ୍ୟବହାର କରିପାରୁଛନ୍ତି। ଏହା ରାଜ୍ୟ ସରକାରଙ୍କ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

Comment