ପ୍ରଫେସର ରାଜକିଶୋର ପଣ୍ଡା

ଓଡ଼ିଶାରେ ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ସରକାର ଗଠନ ହୋଇଛି। ବିଧାନସଭାରେ ବିଜୁ ଜନତା ଦଳ ତିନି-ଚତୁର୍ଥାଂଶ ଆସନ ଲାଭ କରିବା ଯୋଗୁଁ ରାଜ୍ୟରେ ଏକ ଦୃଢ଼ ସରକାର ଗଠନ ହୋଇପାରିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ ଶାସନ କରିଆସିଛନ୍ତି ନବୀନ। କିନ୍ତୁ ଅସଲ କଥା ଯେ ତାଙ୍କର ଦୀର୍ଘ ୨୦ ବର୍ଷର ଶାସନରେ ଓଡ଼ିଶାର ପ୍ରଗତି କିପରି ଓ କେଉଁ ପରିମାଣରେ ହୋଇଛି ଓ ଆଗାମୀ ପାଞ୍ଚ ବର୍ଷରେ ଆମେ ତାଙ୍କଠାରୁ କ’ଣ ଆଶା କରିବା?

ବିଭିନ୍ନ ପରିସଂଖ୍ୟାନର ତଥ୍ୟକୁ ଭିତ୍ତି କଲେ ଜଣାଯାଏ ଯେ ଓଡ଼ିଶା ଏକ ଗରିବ ଓ ଅନୁନ୍ନତ ରାଜ୍ୟ। ରାଜ୍ୟର ହାରାହାରି ୬୫ ପ୍ରତିଶତ ଲୋକ ସେମାନଙ୍କର ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ। ହେଲେ ଉଭୟ ଉତ୍ପାଦିକତା ଓ ନିଟ୍ ଆୟ ଭିତ୍ତିରେ କୃଷି ଏକ ଲାଭଜନକ ବ୍ୟବସାୟ ନୁହେଁ।

ରାଜ୍ୟର କୃଷକର ବାର୍ଷିକ ମୁଣ୍ଡପିଛା ଆୟ ମାତ୍ର ୧୪୦୪୭ଟଙ୍କା ହୋଇଥିବା ବେଳେ ସମଗ୍ର ଦେଶରେ କୃଷକର ବାର୍ଷିକ ମୁଣ୍ଡପିଛା ଆୟ ୧୪୪୭୦ଟଙ୍କା ବୋଲି ହିସାବ କରାଯାଇଛି। ଓଡ଼ିଶାରେ ଅଳ୍ପ ଆୟକାରୀ କୃଷକଙ୍କ ସଂଖ୍ୟା ଖୁବ୍ ବେଶୀ। ରାଜ୍ୟର ମୋଟ କୃଷକମାନଙ୍କ ମଧ୍ୟରୁ ସ୍ୱଳ୍ପ ଆୟକାରୀ କୃଷକମାନଙ୍କ ସଂଖ୍ୟା ଶତକଡା ୭୭ ଭାଗ।

ରାଜ୍ୟ ସରକାର ଏଇ ନିକଟରେ କୃଷକଙ୍କ ଆର୍ଥିକ ଉନ୍ନତି ପାଇଁ କାଳିଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ଅନୁସାରେ ସରକାର କୃଷକମାନଙ୍କୁ ବାର୍ଷିକ ଦଶହଜାର ଟଙ୍କା (ଦୁଇ କିସ୍ତିରେ) ସହାୟତା ରାଶି ପ୍ରଦାନ କରିବେ। ଏହି ଆର୍ଥିକ ସହାୟତା କୃଷକମାନଙ୍କ ଜୀବନ ନିର୍ବାହ ସହିତ କୃଷି ଉନ୍ନତି ପାଇଁ ବ୍ୟବହାର ଲାଗି ଉଦ୍ଦିଷ୍ଟ।

ଯଦିଓ ଏହି ଯୋଜନାରେ ଅନେକ କିଛି ଅସଙ୍ଗତି ରହିଛି, ତଥାପି ମୋଟ ଉପରେ କହିବାକୁ ଗଲେ ରାଜ୍ୟ କୃଷିର ଉନ୍ନତି ଲାଗି ଏଥିରେ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟ କୃଷକର ଆଜିର ଦୁରବସ୍ଥା କୃଷିର ସ୍ୱଳ୍ପ ବିକାଶରୁ ସୃଷ୍ଟି ହୋଇଛି। ଓଡ଼ିଶାରେ କୃଷିର ଉନ୍ନତି ଲାଗି ଯେଉଁ ପରିମାଣରେ ନିବେଶ ହେବା କଥା ତାହା ହୋଇନାହିଁ।

କୃଷି ନିବେଶରେ ଜଳସେଚନ ମୁଖ୍ୟ ଅଂଶଗ୍ରହଣ କରିଥାଏ। ସରକାରୀ ହିସାବରେ ରାଜ୍ୟର ୪୦ ପ୍ରତିଶତ ଜମିକୁ  ଜଳସେଚନର ସୁବିଧା ଅଛି। ଅତଏବ ଅବଶିଷ୍ଟ ୬୦ ପ୍ରତିଶତ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ରାଜ୍ୟରେ ଭୂମିତଳ ଜଳ ପର୍ଯ୍ୟାପ୍ତ ପରିମାଣରେ ଥାଇ ମଧ୍ୟ ତାହାର ସଠିକ ସୁବିନିଯୋଗ ହୋଇପାରୁନାହିଁ।

ଗ୍ରାମାଞ୍ଚଳରେ କୃଷି ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଯଥା- ପଶୁପାଳନ, ମତ୍ସ୍ୟଚାଷ ଇତ୍ୟାଦିର ବିକାଶ ଅତି ନିମ୍ନସ୍ତରର। ଗ୍ରାମାଞ୍ଚଳରେ ଘରୋଇ ଉଦ୍ୟମରେ ବିଭିନ୍ନ ଅଣକୃଷି କାର୍ଯ୍ୟକ୍ରମମାନ ପ୍ରତିଷ୍ଠା କରିବାରେ ସରକାରୀ ଆର୍ଥିକ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଘୋର ଅଭାବ। ରାଜ୍ୟରେ ଗମନାଗମନର ସୁବିଧା ଥିବା ସତ୍ତ୍ୱେ କୃଷିର ଉନ୍ନତି ପାଇଁ ବିଭିନ୍ନ ଆନୁସଙ୍ଗିକ କ୍ଷେତ୍ର ଯଥା: ବଜାର ସୁବିଧା, ଶୀତଳୀକରଣ କେନ୍ଦ୍ର, ଗୋଦାମ ଘର ଇତ୍ୟାଦିର ଅଭାବ ଯୋଗୁଁ କୃଷକ ତା’ର ଉତ୍ପାଦନ ସାମଗ୍ରୀର ସଠିକ୍ ମୂଲ୍ୟ ପାଇପାରୁନାହିଁ।

କାଳିଆ ଯୋଜନା କୃଷିର ଉନ୍ନତି ପାଇଁ ଏକ ନିବେଶ ନୁହେଁ। ଓଡ଼ିଶାରେ କୃଷି ଓ କୃଷକର ଉନ୍ନତି ପାଇଁ ନିବେଶ ଆବଶ୍ୟକ। ସରକାର ଏହାର ଗୁରୁତ୍ୱ ଉପଲବ୍ଧି କରି କୃଷିରେ ନିବେଶ ବୃଦ୍ଧି ନିମନ୍ତେ ବ୍ୟବସ୍ଥା କରିବା ଜରୁରୀ।

(ଲେଖକ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଏବଂ ଭୁବନେଶ୍ୱରସ୍ଥିତ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲପମେଣ୍ଟ ଷ୍ଟଡିଜର ପୂର୍ବତନ ନିର୍ଦ୍ଦେଶକ)

Comment