ଓଡ଼ିଶାଲାଇଭ ବ୍ୟୁରୋ

ପିଡବ୍ଲୁଡିର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ ଉଠବସ କରାଇବା ମହଙ୍ଗା ପଡ଼ିଛି ପାଟଣାଗଡ଼ର ବିଧାୟକ ସରୋଜ ମେହରଙ୍କୁ। ଏ ନେଇ ବିଧାୟକଙ୍କ ନାଁରେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଛି। ଏସଡିପିଓ ସୁରେଶ ନାୟକ ଏନେଇ ସୂଚନା ଦେଇଛନ୍ତି। ଏସ୍‌ଡିପିଓ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ଅଭିଯୋଗ ଅନୁସାରେ ତଥ୍ୟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ କନିଷ୍ଠ ଯନ୍ତ୍ରୀ ଆଜି ଘରକୁ ଫେରିଛନ୍ତି। ଜୟକାନ୍ତ ଶବରଙ୍କ ପତ୍ନୀ ନିଖୋଜ ନେଇ ଅଭିଯୋଗ କରିବା ପରେ ଶୁକ୍ରବାର ତାଙ୍କୁ ପୋଲିସ ଖଡ଼ିଆଲରୁ ଆଣି ଘରେ ପହଞ୍ଚାଇଛି।

ଏହାପରେ ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, “ବିଧାୟକ ସାର ରାସ୍ତା କାମ ତଦାରଖ ପାଇଁ ଆସିଥିଲେ। ରାସ୍ତାକାମ ଦେଖିବା ପରେ ନିମ୍ନମାମନର କାମ ହୋଇଥିବା କହିଥିଲେ। ମତେ ୧୦୦ ଥର ଉଠବସ ହେବାକୁ କହିଥିଲେ। ଲୋକଙ୍କ ଭୟରେ ମୁଁ ଉଠବସ ହୋଇଥିଲି। ପରେ ବିଧାୟକ ସାର ମତେ ଚାପୁଡ଼ା ମାରିବାକୁ କହିଥିଲେ।”

କନିଷ୍ଠ ଯନ୍ତ୍ରୀ ଗଣମାଧ୍ୟମକୁ ଏହା କହିବା ବେଳେ କାନ୍ଦି ପକାଇଥିଲେ।

ବେଲପଡ଼ା ବ୍ଲକ ଗମ୍ଭାରୀ ଗାଁରେ ରାସ୍ତାକାମ ଚାଲିଥିବା ବେଳେ ନିମ୍ନମାନର କାମ ନେଇ ଅଭିଯୋଗ ହୋଇଥିଲା। ଏହାପରେ ବିଧାୟକ ସରୋଜ ମେହେର ନିଜେ ରାସ୍ତାକାମର ତଦାରଖ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଯାଇଥିଲେ। କାମ ଦେଖିବା ସମୟରେ ହଠାତ୍ ବିଧାୟକ ଜଣଙ୍କ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ ମଧ୍ୟରେ ୧୦୦ ଉଠବସ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ପୂରା ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଥିଲା।

Comment