ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ପାଟଣାଗଡ଼ ଗଣହତ୍ୟା ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଖଣ୍ଡା, ରଡ୍‌, ଫାର୍ସା, ୨ ଟି ଲୁନା, ୬ଟି ମୋବଇଲ, ପେଟ୍ରୋଲ ବୋତଲ ଜବତ କରାଯାଇଛି। ଏନେଇ ବଲାଙ୍ଗିର ଏସ୍‌ପି ଏମ୍‌ ଏସ୍‌ ସମ୍ପଦ ସୂଚନା ଦେଇଛନ୍ତି।

ଏହି ହତ୍ୟା ମାମଲାରେ ୯ ଜଣଙ୍କ ସଂପୃକ୍ତି ଥିବା ବେଳେ ୨ ଜଣ ଫେରାର ଅଛନ୍ତି ବୋଲି ସେ କହିଛନ୍ତି।

ନଭେମ୍ବର ୧୧ରେ ପାଟଣାଗଡ଼ ସଅଁରପଡ଼ା ଗାଁର ବୁଲୁ ଜାନି, ତାଙ୍କ ପତ୍ନୀ ଓ ୪ ନାବାଳକ ପିଲାଙ୍କୁ ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ସପ୍ତାହକ ଭିତରେ ପୋଲିସ ତଦନ୍ତ କରି ଘଟଣାର ଫର୍ଦ୍ଦାଫାସ କରିଛି।

ଏସପିଙ୍କ ସୂଚନା ମୁତାବକ ବୁଲୁ ଜାନିଙ୍କ ପରିବାରକୁ ନିପାତ କରିବା ପାଇଁ ୩ଟି ପରିବାର ଏକାଠି ହୋଇ ଷଡ଼ଯନ୍ତ୍ର କରିଥିଲେ।  ପଡ଼ୋଶୀ ଗଣ୍ଡ, ଜାନି, ମାଝି ପରିବାର ସହ ବୁଲୁ ଜାନିଙ୍କର ଶତ୍ରୁତା ଥିଲା। ଗତ ୧୦ ବର୍ଷ ହେବ ଏହି ୩ ପରିବାରଙ୍କ ସହ ବୁଲୁ ଜାନିଙ୍କ ବିବାଦ ଚାଲିଥିଲା। ବିବାଦ ଅଧିକ ବଢ଼ିବାରୁ ଏମାନେ ବୁଲୁଙ୍କ ପରିବାରକୁ ନିପାତ କରିବାକୁ ଯୋଜନା କରିଥିଲେ। ଶେଷରେ ଯୋଜନାରେ ସଫଳ ହୋଇଥିଲେ।

ଅଭିଯୁକ୍ତମାନେ ବୁଲୁଙ୍କ ଘର ଉପରେ ନଜର ରଖିଥିଲେ। ବିଳମ୍ବିତ ରାତିରେ ବୁଲୁ ଯେତେବେଳେ ବାହାରକୁ ଉଠିଥିଲେ ସେତେବେଳେ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। କିନ୍ତୁ ତାଙ୍କ ଦେହରେ ଗୁଳି ବାଜି ନଥିଲା। ବୁଲୁ ଘର ଭିତରକୁ ଦୌଡ଼ି ପଳାଇଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କ ଘରେ ପଶି ସମସ୍ତଙ୍କୁ ହତ୍ୟା କରିଥିଲେ ବୋଲି କହିଛନ୍ତି ଏସ୍‌ପି।

ବୁଲୁ ଜାନିଙ୍କ ପରିବାର ଗତ କିଛି ବର୍ଷ ହେବ ସଅଁରପଡ଼ା ଗାଁରେ ରହି ମହୁ ବ୍ୟବସାୟ କରୁଥିଲେ। ପୂର୍ବରୁ ଏମାନେ ବୁଲି ବୁଲି ମହୁ ବିକ୍ରି କରୁଥିଲା ବେଳେ କିଛି ବର୍ଷ ହେବ ସେ ସଅଁରପଡ଼ାରେ ସ୍ଥାୟୀ ଭାବେ ରହୁଥିଲେ।

Comment