ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

‘‘ମୁଁ ଏବଂ ମୋ’ ପୁଅ ଭାରତୀୟ ବାୟୁସେନାକୁ ଭଲପାଉ। ପ୍ରତ୍ୟେକ ଭାରତୀୟ ଆମ ଯବାନମାନଙ୍କ ପାଇଁ ଗର୍ବ କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ଉଚିତ। ମୋ’ ପୁଅ ଦେଶ ପାଇଁ ସହିଦ ହୋଇଛି। ଏହା ମୋ’ ପାଇଁ ଗର୍ବ ଏବଂ ଗୌରବର କଥା’’, ଏହା ହେଉଛି ଫ୍ଲାଇଟ ଲେଫ୍ଟନାଣ୍ଟ ସୁନିତ ମହାନ୍ତିଙ୍କ ବାପା ସୁରେନ୍ଦ୍ର କୁମାର ମହାନ୍ତିଙ୍କ ମନ୍ତବ୍ୟ।

ବିମାନର ୧୩ ଜଣ କ୍ରିୟୁ ମେମ୍ବରଙ୍କ ମୃତ୍ୟୁରେ ସାରା ଦେଶରେ ଶୋକ ପରିବେଶ ସୃଷ୍ଟି ହୋଇଥିବା ପୁଅ ଦେଶ ପାଇଁ କାମ କରି ସହିଦ ହୋଇଥିବାରୁ ସୁନିତଙ୍କ ବାପା ଗର୍ବ କରିଛନ୍ତି। ସୁନିତଙ୍କ ବାପା ସୁରେନ୍ଦ୍ର କୁମାର ଭାରତୀୟ ବାୟୁସେନାରେ ଚାକିରୀ କରିଥିଲେ। ସେ ଗ୍ରୁପ୍ କ୍ୟାପଟେନ ଭାବେ ଚାକିରୀ କରି ଅବସର ନେଇଥିଲେ।

ଭାରତୀୟ ବାୟୁସେନା ବିମାନ ଏନ-୩୨ର ସମସ୍ତ ୧୩ ଜଣ କ୍ରିୟୁ ମେମ୍ବରଙ୍କ ମୃତ୍ୟୁ ଖବର ଆସିବା ପରେ ସାରା ଦେଶବାସୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ମୃତକମାନଙ୍କ ମଧ୍ୟରେ ଓଡ଼ିଆ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନିତ ମହାନ୍ତିଙ୍କର ବି ପ୍ରାଣ ହରାଇଛନ୍ତି। ପୁଅର ମୃତ୍ୟୁ ଖବର ପାଇବା ପରେ ପୂରା ଗାଁରେ ଶୋକର ଛାୟା ଖେଳି ଯାଇଛି। ଘର କାନ୍ଦ ବୋବାଳିରେ ଫାଟି ପଡୁଛି।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ବାଲିଆପଲ୍ଲୀ ଗାଁରେ ସୁନିତଙ୍କ ଘର। ସେ ୧୯୯୦ ନଭେମ୍ବର ୭ରେ ଚେନାଇର ମିଲିଟାରୀ ହସ୍ପିଟାଲରେ ଜନ୍ମ ହୋଇଥିଲେ। ଏନଆଇଟି ଜାମସେଦପୁରରୁ ବିଟେକ୍ ପାସ୍ କରିବା ପରେ ୨୦୧୪ରେ ଫ୍ଲାଇଙ୍ଗ ପାଇଲଟ ଭାବେ ନିଯୁକ୍ତି ପାଇଥିଲେ। ସୁନିତ ଦୀର୍ଘ ଦିନ ହେଲା ଦିଲ୍ଲୀରେ ରହୁଥିଲେ।

ଗତ ୩ ତାରିଖରେ ଭାରତୀୟ ବାୟୁସେନା ଏନ୍-୩୨ ପରିବହନ ବିମାନ ଆସାମରୁ ଅରୁଣାଚଳପ୍ରଦେଶ ଯାଉଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା। ବିମାନ କେଉଁଆଡ଼େ ଗଲା ତାର କିଛି ପତ୍ତା ମିଳି ନଥିଲା। ଏହି ବିମାନରେ ଥିଲେ ସୁନିତ ମହାନ୍ତି। ଶେଷରେ ନିଖୋଜ ବିମାନକୁ ଖୋଜିବା ପାଇଁ ବାୟୁସେନାର ଏକାଧିକ ହେଲିକପ୍ଟର ଲାଗିପଡ଼ିଥିଲା।

ନିଖୋଜର ୮ ଦିନ ପରେ ବିମାନର ଭଗ୍ନାବଶେଷ ଠାବ କରିଥିଲା ଭାରତୀୟ ବାୟୁସେନାର ମିଗ୍-୧୭ ହେଲିକପ୍ଟର। ଆଜି ୧୩ ଜଣଙ୍କ ମୃତଦେହ ଠାବ କରାଯାଇଛି। ମୃତଦେହକୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ଲୋକଙ୍କୁ ହସ୍ତାନ୍ତ କରିବାକୁ ପ୍ରସ୍ତୁତି ଚଳାଇଛି ଭାରତୀୟ ବାୟୁସେନା।

Comment