ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇସିସି ବିଶ୍ୱକପର ୩୪ତମ ମ୍ୟାଚରେ ଇଣ୍ଡିଆ-ଓ୍ୱେଷ୍ଠଇଣ୍ଡିଜ ମଧ୍ୟରେ ହେବ କଡ଼ା ଟକ୍କର।

ଆଇସିସି ବିଶ୍ଵକପର ୩୪ତମ ମ୍ୟାଚରେ ଗୁରୁବାର ମାଞ୍ଚେଷ୍ଟରରେ ଓ୍ଵେଷ୍ଟଇଣ୍ଡିଜ-ଭାରତ ମୁହାଁମୁହିଁ ହେବେ। ଚଳିତ ବିଶ୍ଵକପରେ ଭାରତ ୫ଟି ମ୍ୟାଚ ଖେଳି ୪ଟି ବିଜୟ ଓ ଗୋଟିଏ ମ୍ୟାଚ ବାତିଲ କାରଣରୁ ୯ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ସେହିପରି ଓ୍ଵେଷ୍ଟଇଣ୍ଡିଜ ୬ଟି ମ୍ୟାଚରୁ ଗୋଟିଏ ବିଜୟ, ୪ଟି ପରାଜୟ ଓ ଗୋଟିଏ ବାତିଲ ସହ ୩ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଏହି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିବ।

ଭାରତ ଚଳିତ ବିଶ୍ଵକପରେ ଚମତ୍କାର ଫର୍ମରେ ରହିଛି। ଦଳ କୌଣସିବି ମ୍ୟାଚରେ ପରାଜୟର ଶିକାର ହୋଇନାହିଁ। ଗତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦଳ ପରାଜୟ ଆଡ଼କୁ ଗତି କରୁଥିବା ବେଳେ ଭାରତର ଶକ୍ତିଶାଳୀ ବୋଲିଂ ବିଭାଗ ଆଫଗାନିସ୍ତାନ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲା। ଦଳ ଭଲ ଫର୍ମରେ ଥିଲେ ମଧ୍ୟ ଆହତ ସମସ୍ୟା ଦଳ ପାଇଁ ବିପଦ ହୋଇପାରେ।

ଦଳ ପକ୍ଷରୁ ରୋହିତ ଶର୍ମା ପ୍ରାୟ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ଏହାସହ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି ବିପକ୍ଷ ପାଇଁ ଘାତକ ହୋଇପାରନ୍ତି। ବୋଲରମାନଙ୍କ ମଧ୍ୟରେ ଯଶପ୍ରିତ ବୁମରା, ଯୁଜବେନ୍ଦ୍ର ଚହଲ ଓ ମହମ୍ମଦ ସାମି ଦଳକୁ ବିଜୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା କି ପ୍ଲେୟାର ରହିଛନ୍ତି।

ସେହିପରି ଓ୍ଵେଷ୍ଟଇଣ୍ଡିଜ ପାଇଁ ଚଳିତ ବିଶ୍ଵକପ ଏତେ ଭଲ ରହିନାହିଁ। ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ବିଫଳତାର ସମ୍ମୁଖୀନ ହୋଇଥିଲେ।

ଦଳ ପକ୍ଷରୁ ସାହି ହୋପ, ଜାସନ ହୋଲ୍ଡର, କ୍ରାଲୋସ ବ୍ରାଥଓ୍ଵେଟ ବେଶ ଭଲ ଫର୍ମରେ ରହିଛନ୍ତି। ମାତ୍ର କ୍ରିସ ଗେଲଙ୍କ ଖରାପ ପ୍ରଦର୍ଶନ ଓ ଆନ୍ଦ୍ରେ ରସେଲ ବିଶ୍ଵକପରୁ ବାହାରିବା ଦଳ ପାଇଁ ବିପଦ ସୃଷ୍ଟି କରୁଛି। ବିଶ୍ଵକପ ଇତିହାସରେ ଦୁଇଦଳ ୮ଥର ମୁହାଁମୁହିଁ ହୋଇଛନ୍ତି ଏଥିରୁ ଭାରତ ୫ଟି ବିଜୟ ହୋଇଥିବାବେଳେ ଓ୍ଵେଷ୍ଟଇଣ୍ଡିଜ ୩ଟିରେ ବିଜୟ ହୋଇଛି। ଆଜିର ମ୍ୟାଚ ଓ୍ଵେଷ୍ଟଇଣ୍ଡିଜ ପାଇଁ ନିର୍ଣ୍ଣାୟକ ରହିବ।

Comment