ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ଏହି ମ୍ୟାଚ ୨୦୨୨ ଫେବ୍ରୁଆରି ୧୫ରେ ଖେଳାଯିବ। ଏନେଇ ସୋମବାର ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଦୀର୍ଘ ଦିନ ହେବ ଓଡ଼ିଶାରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯାଇନଥିଲା। କିନ୍ତୁ ୨୦୨୨ରେ ଏହି ମ୍ୟାଚ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି।  ତେବେ ଏହି ମ୍ୟାଚ ପାଇଁ ତାରିଖ ଘୋଷଣା ହେବା ପରେ ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

୨୦୨୧-୨୦୨୨ କ୍ରିକେଟ ମ୍ୟାଚ ପାଇଁ ବିସିସିଆଇ ଅନ୍ତର୍ଜାତୀୟ ଖେଳସୂଚୀ ପ୍ରସ୍ତୁତ କରିଛି। ଏଥିପାଇଁ ୪ଟି ଦଳ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ। ଏଥିସହ କେଉଁ ଦଳ କେଉଁ ଠାରେ ମ୍ୟାଚ ଖେଳିବେ ସେ ନେଇ ମଧ୍ୟ ବିସିସିଆଇ ନିଷ୍ପତ୍ତି ନେଇଛି। ସେହି କାର୍ଯ୍ୟସୂଚୀ ଅନୁସାରେ ଫେବ୍ରୁଆରି ୧୫ରେ ଓଡ଼ିଶାର କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ।

ଏହା ପୂର୍ବରୁ ଶେଷଥର ପାଇଁ ୨୦୧୯ ମସିହା ଡିସେମ୍ବର ୨୨ ତାରିଖରେ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ସେହି ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳି ବିଜୟୀ ହୋଇଥିଲା। କରୋନା ମହାମାରୀ କାରଣରୁ ଦୁଇ ବର୍ଷ ହେବ ବାରବାଟୀ ଷ୍ଟାଡିୟମରେ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇନଥିଲା।

Comment