ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାହି ବସ୍ତିରେ ପଶିଲା ପାଣି
  • ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି
  • ବାଦାମବାଡ଼ିର ସ୍ଥିତି ବେହାଲ
  • ବାଦାମବାଡ଼ିରୁ ଲିଙ୍କରୋଡ ରାସ୍ତାରେ ଟ୍ରାଫିକ ଜାମ୍
  • ପ୍ରଶାସନର ବର୍ଷା ମୁକାବିଲା ଯୋଜନା ଫେଲ୍

କଟକ : ପ୍ରାୟ ଦେଢ ଘଣ୍ଟା ବର୍ଷାରେ ଆଜି କଟକ ସହରର ଅଧା ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ତଳି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଅବସ୍ଥା ବେହାଲ୍ ହୋଇପଡିଛି।

ଲଗାଣ ବର୍ଷା ପରେ ଯାହା ପରିସ୍ଥିତି ସୃଷ୍ଟି ହୋଇଛି ତାହା ପ୍ରଶାସନର ବର୍ଷା ପ୍ରସ୍ତୁତିକୁ ପଦାରେ ପକେଇ ଦେଇଛି। କଟକ ମହାନଗର ନିଗମର ବର୍ଷା ଦିନିଆ ପଙ୍କ ଉଦ୍ଧାର ଯୋଜନାର ଫଳ ଭୋଗିଲେ ଲୋକେ।

ଲଗାଣ ବର୍ଷା ସହରର ଚିହ୍ନବର୍ଣ୍ଣ ବଦଳାଇଦେଇଛି। ମୁଖ୍ୟରାସ୍ତା ସମେତ ସାହିବସ୍ତି, ଗଳିକନ୍ଦି ସବୁଆଡେ ପାଣି ପଶି ଯାଇଛି। ବର୍ଷା ପରର ପରିସ୍ଥିତି ସହରବାସୀଙ୍କୁ ରାତି ଅନିଦ୍ରା କରାଇଦେଇଛି। ତଳି ଅଞ୍ଚଳରେ ଘରେ ଘରେ ବର୍ଷା ପାଣି ପଶିଯାଇଥିବା ବେଳେ ରାତି ତମାମ୍ ଲୋକେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ନଥିବା ସମସ୍ୟାରେ ପଡିଛନ୍ତି। ଜାଇକା, ଅମୃତ ଯୋଜନାରେ ସହର ତମାମ୍ ଖୋଳାତଡା ହୋଇ ପଡିରହିଥିଲା। ପଙ୍କ ଉଦ୍ଧାର ନାଁରେ ଚାଲିଥିଲା ଫାର୍ସ। ବର୍ଷା ମୁକାବିଲା କରିବାକୁ କେବଳ ଯାହା ବୈଠକ ଡକାଯାଇଥିଲା ସେତିକି, ମୁକାବିଲା କାହିଁ ସେମିତି କିଛି ଦିଶିଲା ନାହିଁ। ଯାହାଫଳରେ ମାତ୍ର ଦେଢ ଘଣ୍ଟା ବର୍ଷାରେ ସହରର ବିଭିନ୍ନ ଅଞ୍ଚଳ ବୁଡିଗଲା।

ଲଗାଣ ବର୍ଷା କେବଳ ପ୍ରସ୍ତୁତିକୁ ବଦନାମ୍ କରିନାହିଁ, ବରଂ ପ୍ରଶାସନର ମୁଖା ଖୋଲିଦେଇଛି। ମେରିଆବଜାର, ରାଉସାପାଟଣା, ପିଠାପୁର, ଗହ୍ଲାଡିଆ, କେଶରପୁର, ପ୍ରଫେସରପଡା, ତୁଳସୀପୁର, ଦେଉଳାସାହି, ବିଡାନାସୀ, ଡଗରପଡା, ବାଲୁବଜାର, ଗଙ୍ଗାମନ୍ଦିର, ଶଙ୍କରପୁର, ଛତ୍ରବଜାର, ମାଲଗୋଦାମ, କଲେଜଛକ, ଯୋବ୍ରା, ମହାନଦୀବିହାର ଆଦି ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି।

କିଛି ଅଞ୍ଚଳରେ ଘରେ ପାଣି ପଶିଯାଇଥିବା ବେଳେ ଆଉ କିଛି ସାହିବସ୍ତିରେ ରାତିତମାମ୍ ଜଳ ନିଷ୍କାସନ ହୋଇପାରିନାହିଁ।  ସେହିପରି ବାଦାମବାଡି ବସ୍‌ ଷ୍ଟାଣ୍ଡରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଲହଡି ମାରୁଛି। ବାଦାମବାଡ଼ିରେ ଡଙ୍ଗା ଚାଲିବା ଭଳି ପରିସ୍ଥିତି ଉପୁଜିଥିଲା। ଏଥିଯୋଗୁଁ ଟ୍ରାଫିକ୍ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଯାଇଥିଲା। ବାଦାମବାଡିଠାରୁ ଲିଙ୍କରୋଡ ପର୍ଯ୍ୟନ୍ତ ରାସ୍ତା ଜାମ୍ ରହିଥିଲା।

ସେହିପରି ସରକାରୀ ଅଫିସଗୁଡିକର ଅବସ୍ଥା ବେହାଲ୍ ହୋଇପଡିଥିଲା। ଏମିତିକି ସିଏମ୍‌ସି ରେକର୍ଡ ରୁମ୍ ଭିତରେ ପାଣି ପଶିଯାଇଥିଲା। କାନ୍ଥରୁ ପାଣି ଖସି କିଛି ରେକର୍ଡପତ୍ର ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ପାଣି ପଶିଥିବା ଅଞ୍ଚଳରେ ସିଏମ୍‌ସି ତରଫରୁ ଜଳ ନିଷ୍କାସନ କରିବାକୁ ବ୍ୟବସ୍ଥା କରାଯାଇଛି। ୨୪୧ ତଳି ଅଞ୍ଚଳ ମଧ୍ୟରୁ ୨୨୦ ଅଞ୍ଚଳରୁ ପମ୍ପସେଟ୍ ଲଗାଇ ବର୍ଷା ଜଳ ନିଷ୍କାସନ କରିବାକୁ ଉଦ୍ୟମ କରାଯାଉଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Comment