ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆକୁ ଚିୟର କରି ଚର୍ଚ୍ଚାକୁ ଆସିଥିଲେ ୮୭ ବର୍ଷୀୟ ବୃଦ୍ଧ ଚାରୁଲତା ପଟେଲ। ପରିଣତ ବୟସରେ କ୍ରିକେଟ ପ୍ରତି ପ୍ରେମ ଏବଂ ହ୍ୱିଲ ଚେୟାରରେ ଟିମକୁ ଚିୟର ଅପ ତାଙ୍କୁ ସାରା ବିଶ୍ୱରେ ପରିଚିତ କରାଇଛି। ତାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ ମ୍ୟାଚ ପରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ତାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ବିଶ୍ୱକପରୁ ଚର୍ଚ୍ଚିତ ହୋଇଥିବା ଚାରୁଲତାଙ୍କୁ ପେପ୍ସିକୋ ସ୍ପେଶାଲ ଓ୍ୱାର୍ଲ୍ଡକପ ୨୦୧୯ ସ୍ୱାଗ ବିଜ୍ଞାପନ କ୍ୟାମ୍ପେନରେ ସାମିଲ କରିଛି। ପେପ୍ସିର ସ୍ୱାଗ କ୍ୟାମ୍ପେନରେ ଚାରୁଲତାଙ୍କୁ ନୂଆ ସ୍ୱାଗ ଷ୍ଟାର କରାଯାଇଛି।

ଜୁଲାଇ ୨ରେ  ବାଂଲାଦେଶ ଓ ଭାରତ  ମ୍ୟାଚ୍ ସମୟରେ ହାତରେ ତ୍ରିରଙ୍ଗା ପତାକା ଏବଂ ଲମ୍ବା ତୂରୀ ସହ ଭାରତୀୟ ଟିମ୍ କୁ ଚିଅର୍ କରୁଥିଲେ ଚାରୁଲତା। ଭାରତର ବ୍ୟାଟିଂ ବେଳେ ସମସ୍ତ ଚୌକା, ଛକା ଓ ଶତକ ବେଳେ ସାଥୀ ପ୍ରଶଂସକଙ୍କ ସହ ଜୋରଦାର ସେଲିବ୍ରେସନ୍ କରୁଥିଲେ ଚାରୁଲତା। ବୟସ ଅଧିକ ଯୋଗୁଁ ହ୍ୱିଲ୍ ଚେୟାରରେ ବସି ଖୁସି ମନାଉଥିଲେ ସେ।

ମ୍ୟାଚ୍ ଶେଷ ପରେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ଆସି ଚାରୁଲତାଙ୍କୁ ଦେଖା କରିଥିଲେ। ଚାରୁଲତା ଉଭୟଙ୍କ ମୁଣ୍ଡ ଆଉଁସି ଆର୍ଶୀବାଦ ଦେବା ସହ ଗାଲରେ ଗେଲ କରିଥିଲେ। ଏହି ମୁହୂର୍ତ୍ତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ପ୍ରଂଶସକଙ୍କୁ ଭେଟିବା ପରେ କୋହଲି ଓ ରୋହିତ ଶର୍ମା ମଧ୍ୟ ବେଶ ଖୁସି ହୋଇଥିଲେ।

Comment