ଓଡ଼ିଶାଲାଇଭ୍ ବ୍ୟୁରୋ

  • ଟେବୁଲ୍ ଟେନିସ୍ ଚାମ୍ପଅନସିପ୍‌ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ
  • ସ୍ଥିତି ଯାଞ୍ଚ୍ କଲେ କ୍ରୀଡ଼ାମନ୍ତ୍ରୀ ଓ ସଚିବ
  • ୧୦ ଜଣିଆ ଭାରତ ଦଳର ନେତୃତ୍ୱ ନେବେ ଶରତ କମଲ୍
  • ସଜେଇ ହେଉଛି ଜବାହାରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମ୍
  • ସହର ସୌନ୍ଦର୍ଯ୍ୟକରଣ, ସଫେଇ ନେଇ ପ୍ରଶାସନ ତତ୍ପର

କଟକ : ୨ ଦିନ ପରେ କଟକରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌। ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ସୋମବାରଠାରୁ ବିଭିନ୍ନ ଦଳ ଭୁବନେଶ୍ୱରରେ ପହଞ୍ଚିବେ। ସୋମବାର ୱେଲ୍ସ, ଇଂଲଣ୍ଡ, ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ ଓ ମାଲେସିଆ ଟିମ୍‌ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ।

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅପରାହ୍‌ଣରେ କଟକ ଆସି ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମ୍ ବୁଲି ପ୍ରସ୍ତୁତି ପରଖିଛନ୍ତି। ତାଙ୍କ ସହିତ କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ୍ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଫ୍ରେସ୍ ରୁମ୍, ଗ୍ୟାଲେରୀ, ପ୍ରବେଶ ଓ ପ୍ରସ୍ଥାନ ବାଟ, ସାଉଣ୍ଡ ସିଷ୍ଟମ୍, ଫ୍ଲଡ୍ ଲାଇଟ୍ ଭଳି ବିଭିନ୍ନ ଦିଗକୁ ତନଖି କରାଯାଇଥିଲା।

ସେହିପରି ଷ୍ଟାଡିୟମ୍ ବାହାରେ ହୋଇଥିବା ୱାଲ୍ ପେଣ୍ଟିଂ, ଉଦ୍ୟାନ ଆଦି ବୁଲି ସ୍ଥିତି ପରଖିଥିଲେ। ଆସନ୍ତାକାଲି  ମ୍ୟାଚ ପାଇଁ ଟେବୁଲ୍ ଏବଂ ମ୍ୟାଟ୍ ପଡ଼ିବ।

ଅନ୍ୟପକ୍ଷରେ ଆଜି ଭାରତୀୟ ଟେବୁଲ୍ ଟେନିସ୍ ଷ୍ଟାର ଏ ଶରତ କମଲଙ୍କ ନେତୃତ୍ୱରେ ୧୦ଜଣିଆ ଦଳ ଘୋଷଣା କରାଯାଇଛି। ପୁରୁଷ ଦଳରେ ଶରତଙ୍କ ସମେତ ଜି ସାଥିୟା, ଏ ଅମଲରାଜ୍, ମାନବ ଠକ୍କର, ହରମିତ୍ ଦେଶାଇ ଏବଂ ମହିଳା ଦଳରେ ମନିକା ବାତ୍ରା, ମଧୁରିକା ପଟକର, ସୁତୀର୍ଥା ମୁଖାର୍ଜୀ, ଅର୍ଚ୍ଚନା କମାଥ୍, ଅହ୍ୟିକା ମୁଖାର୍ଜୀ ପ୍ରମୁଖ ସାମିଲ୍ ହୋଇଛନ୍ତି।  ଶେଷଥର ପାଇଁ ସୁରତରେ ଭାରତ ୧୬ଟି ପଦକ ଅର୍ଜନ କରିଥିଲା। ତେଣୁ ଏଥର ଏହାଠାରୁ ଅଧିକ ପଦକ ଲକ୍ଷ୍ୟ ରଖି ଭାରତୀୟ ଟିମ୍ ମଇଦାନକୁ ଓହ୍ଲାଇବ।

ଅନ୍ୟ ଖେଳାଳିମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱରରୁ କଟକ ଅଣାଯିବ। ଶିଖରପୁର, ଯୋବ୍ରା, ରିଙ୍ଗରୋଡ୍ ଦେଇ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମକୁ ଅଣାଯିବ। କିନ୍ତୁ ଯୋବ୍ରା ରେଲୱେ ପାସ୍ ନିକଟରେ ବ୍ୟାପକ ସମସ୍ୟା ରହିଛି।

ସାଧାରଣ ବର୍ଷାରେ ମହାନଦୀ ପାଣି ଯୋଗୁଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମାଟ ବାନ୍ଧି ହୋଇଯାଏ। ଏଭଳି ସ୍ଥିତିରେ ଯଦି ବର୍ଷା ହୁଏ ତେବେ ଖେଳାଳିମାନଙ୍କର ବସ୍ ପାଣି ଭିତରେ ପଶି ଆସିବାକୁ ବାଧ୍ୟ ହେବ।

ଏହି ସମସ୍ୟାକୁ ସମାଧାନ କରିବାକୁ ସିଏମ୍‌ସିକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏ ଯାଏଁ ଏଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି ସିଏମ୍‌ସି କର୍ତ୍ତୃପକ୍ଷ। ସେହିପରି ଶିଖରପୁରଠାରୁ ଆରମ୍ଭ କରି ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ରାସ୍ତାର ରୋଡ୍ ଡିଭାଇଡର୍‌ ବ୍ୟବସ୍ଥା ଦୟନୀୟ ହୋଇ ରହିଛି। ତେଣୁ ଏହାକୁ ମରାମତି କରିବାକୁ ସିଏମ୍‌ସି ଓ ଜଳସମ୍ପଦ ବିଭାଗକୁ କୁହାଯାଇଛି।

ସେହିପରି ରାସ୍ତା ଫୁଟପାଥ୍ଗୁଡ଼ିକ ଦେଖିବା ଉପଯୋଗୀ ହୋଇ ରହିନାହିଁ। କେଉଁଠି କାନ୍ଥ ଭାଙ୍ଗିଯାଇଛି ତ ଆଉ କେଉଁଠି ବିଭିନ୍ନ ପୋଷ୍ଟର ମରାଯାଇ ଫୁଟପାଥଗୁଡ଼ିକ ଅସନା ଦେଖାଯାଉଛି। ତେବେ ଏ ଦିଗରେ ପଦକ୍ଷେପ ନେବାକୁ ସିଏମ୍‌ସିକୁ କୁହାଯାଇଛି।

ଫୁଟପାଥ୍ କାନ୍ଥଗୁଡ଼ିକ ମରାମତି କରାଯାଇ ରଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଫନି ପରେ ଏବେ ଯାଏଁ ଅନେକଗୁଡିଏ ବିଦ୍ୟୁତ ଖୁଣ୍ଟି ରାସ୍ତାରେ ପଡିରହିଛି। ସେଗୁଡିକ ମରାମତି କରିବାକୁ କିମ୍ବା ସମ୍ପୂର୍ଣ୍ଣ ଭାବେ ସେଠାରୁ ଉଠାଇ ନେବାକୁ ସେସୁକୁ ଦାୟିତ୍ୱ ଦିଆଯାଇଛି।

ସେହିପରି ଇନଡୋର ଷ୍ଟାଡିୟମ୍ ରୋଡ୍‌କୁ ସମ୍ପୂର୍ଣ୍ଣ ଭାବେ ବ୍ରାଣ୍ଡିଂ କରିବାକୁ କୁହାଯାଇଛି। ହାଇୱେ ସମେତ ଖେଳାଳିଙ୍କ ଯା’ ଆସ ବାଟଗୁଡିକର ରାସ୍ତା ପାର୍ଶ୍ୱରେ ବୁସ୍ କଟିଂ କରିବାକୁ କଡାକଡି କରାଯାଇଛି।

LEAVE A REPLY

Please enter your comment!
Please enter your name here